ରହମାନ୍ ହିନ୍ଦୁରୁ ମୁସଲମାନ୍ ହେବା ପଛର କାହାଣୀ

ମୁମ୍ବାଇ : ଏ. ଆର୍. ରହମାନ୍। ଏହି ନାଁଟି କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱରେ ପରିଚିତ। ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା ଏ. ଆର୍. ରହମାନ୍ ପୂର୍ବରୁ ହିନ୍ଦୁ ଥିଲେ। ପରେ ସେ ମୁସଲମାନ୍ ହେଲେ। ଏହା ପଛରେ ଏକ ଘଟଣାକ୍ରମ ବା କାହାଣୀ ରହିଛି। ଆସନ୍ତୁ ଜାଣିବା।
ରହମାନ୍ ୧୯୬୭ ଜାନୁଆରୀ ୬ରେ ଚେନ୍ନାଇଠାରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଧର୍ମ ପରିବର୍ତ୍ତନ କରି ମୁସଲମାନ୍ ହୋଇଯାଇଥିଲେ। ଏକ ସାକ୍ଷାତକାରରେ ସେ ଏହା ପଛରେ ଥିବା କାହାଣୀ ବିଷୟରେ କହିଥିଲେ। ସେ କହିଥିଲେ ଯେ ୧୯୮୬ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଯାହା ପରେ ସେ ଓ ତାଙ୍କ ପୂରା ପରିବାର ସମ୍ପୂର୍ଣ୍ଣ ଏକା ହୋଇଗଲେ। ରହମାନଙ୍କ ମା’ ସନ୍ଥପୀର କରିମୁହ୍ଲା ଶାହ କାଦରୀ ଉପରେ ଖୁବ୍ ଭରସା କରୁଥିଲେ। ସେ ହିନ୍ଦୁ ଧର୍ମକୁ ମଧ୍ୟ ମାନୁଥିଲେ। ହେଲେ ସନ୍ଥପୀରଙ୍କ ପ୍ରତି ତାଙ୍କର ଅଗାଢ଼ ବିଶ୍ୱାସ ରହିଥିଲା। ସେ ଆହୁରି କହିଥିଲେ, ‘ମୋ ବାପାଙ୍କ ଦେହାନ୍ତର ୧୦ ବର୍ଷ ପରେ ଆମେ ପୁଣି କାଜରୀ ବାବାଙ୍କୁ ଭେଟିବାକୁ ଯାଇଥିଲୁ। ସେ ଅସୁସ୍ଥ ଥିଲେ। ମୋ ମା’ ତାଙ୍କ ଦେଖାଶୁଣା କରିଥିଲେ। ବାବା ମୋ ମା’ଙ୍କୁ ନିଜ ଝିଅ ବୋଲି ଭାବୁଥିଲେ। ସେ ସମୟରେ ସୁଫି ଭାବଧାରା ଆଡ଼କୁ ଆମ ପରିବାରର ଖୁବ୍ ଦୁର୍ବଳତା ବଢ଼ିଲା, ଯାହାର ପ୍ରଭାବରେ ପୂରା ପରିବାର ଇସଲାମ୍ ଧର୍ମ ଗ୍ରହଣ କରିଥିଲୁ’। ଏନେଇ ରହମାନ୍ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ କରିବା ପାଇଁ ତାଙ୍କୁ କେହି ବି କେବେ ହେଲେ ବାଧ୍ୟ କରିନଥିଲେ। ସେ ନିଜ ଇଚ୍ଛାରେ ଓ ଖୁସିରେ ଧର୍ମ ପରିବର୍ତ୍ତନ କରିଥିଲେ। ରହମାନ୍ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ତାଙ୍କ ନାଁ ଥିଲା ଦିଲ୍ଲୀପ୍ କୁମାର୍। ଏହି ନାଁଟି ତାଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ। ତାଙ୍କୁ ସବୁବେଳେ ଲାଗେ ଯେ ଏହା ତାଙ୍କ ବ୍ୟକ୍ତିତ୍ୱକୁ ସୁଟ୍ କରୁନାହିଁ। ତେଣୁ ସେ ଏହାକୁ ବଦଳାଇବାକୁ ଚାହୁଁଥିଲେ। ଥରେ ଯେତେବେଳେ ତାଙ୍କ ମା’ ତାଙ୍କ ଭଉଣୀର ବାହାଘର ପାଇଁ ଜାତକ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ପାଖକୁ ଯାଇଥିଲେ ସେଠାରେ ରହମାନ୍ ନିଜ ନାଁକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି ବୋଲି କହିଥିଲେ। ସେହି ଜ୍ୟୋତିଷ ତାଙ୍କୁ ନାଁ ବଦଳାଇ ‘ଅବଦୁଲ୍ ରହିମ୍’ କିମ୍ବା ‘ଅବଦୁଲ୍ ରହମାନ୍’ ରଖିବାକୁ କହିଥିଲେ। କାରଣ ‘ଏଆର୍’ ତାଙ୍କ ପାଇଁ ଶୁଭ। ହେଲେ ତାଙ୍କୁ ରହମାନ୍ ନାଁ ପସନ୍ଦ ଆସିଥିଲା ଓ ତାଙ୍କ ମା’ ଚାହୁଁଥିଲେ ତାଙ୍କ ନାଁ ଅଲ୍ଲହା ରଖା ଖାନ୍ ରହୁ। ତେଣୁ ସେ ନିଜ ନାଁକୁ ‘ଦିଲୀପ୍ କୁମାର୍’ରୁ ପରିବର୍ତ୍ତନ କରି ‘ଅଲ୍ଲହା ରଖା ଖାନ୍(ଏଆର୍ ରହମାନ୍)’ ରଖିଦେଲେ। ସେବେଠୁ ହିଁ ସେ ସାରା ବିଶ୍ୱରେ ଏହି ନାଁରେ ପରିଚିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ