‘ସାଲ୍ୟୁଟ୍’ ପାଇଁ ମିଳିଲା ହିରୋଇନ୍
ମୁମ୍ବାଇ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ଦୀର୍ଘ ଦିନରୁ ଅଟକି ରହିଥିବା ଶାହ୍ରୁଖ୍ ଖାନ୍ଙ୍କ ଫିଲ୍ମ ‘ସାଲ୍ୟୁଟ୍’। ଏଥିରେ ମୁଖ୍ୟ ଅଭିନେତ୍ରୀ ଲାଗି ବହୁ ଦିନ ଧରି ସନ୍ଧାନରେ ଥିଲେ ଫିଲ୍ମ ମେକର୍ସ । ଏବେ ଶୁଣିବାକୁ ମିଳିଛି ଯେ, ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଲାଗି ଫାତିମା ସନା ଶେଖ୍ଙ୍କୁ ବଛାଯାଇଛି । ତେବେ ଏହାକୁ ନେଇ କୌଣସି ଅଫିସିଆଲ ଅନାଉନ୍ସମେଣ୍ଟ ଏପର୍ଯ୍ୟନ୍ତ ହୋଇନଥିବା ବେଳେ ଖୁବ୍ଶୀଘ୍ର ଏନେଇ ଘୋଷଣା ହେବ ବୋଲି ଜଣାପଡ଼ିଛି ।
ସୂଚନା ଥାଉ ଯେ, ଫାତିମା ଏଇ ନିକଟରେ ଶାହ୍ରୁଖ୍ଙ୍କ ସହ କାମ କରିବା ଲାଗି ନିଜର ଇଚ୍ଛା ଜାହିର କରିଥିଲେ । ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ, ଶାହ୍ରୁଖଙ୍କ ନିକଟରେ ସେ ନର୍ଭସ୍ ହୋଇଗଲେ ମଧ୍ୟ ତାଙ୍କ ସହ ଅଭିନୟ କରିବା ଲାଗି ବ୍ୟଗ୍ର ଅଛନ୍ତି । ଏହି ଫିଲ୍ମରେ ଶାହରୁଖ ଏୟାର୍ଫୋର୍ସ ଅଫିସର ରାକେଶ ଶର୍ମାଙ୍କ ରୋଲରେ ନଜର ଆସିବେ ଯିଏ କି ପରେ ଭାରତର ପ୍ରଥମ ମହାକାଶଚାରୀ ମଧ୍ୟ ବନିଲେ । ତାଙ୍କର ଅଦମ୍ୟ ସାହସ ଏବଂ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଉପରେ ଫିଲ୍ମଟିର କାହାଣୀ ପର୍ଯ୍ୟବେସିତ ହେବ । ଏଥିସହିତ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଆଚିଭ୍ମେଣ୍ଟକୁ ମଧ୍ୟ ଏଥିରେ ଦେଖାଯିବ ।
ଅଞ୍ଜୁମ୍ ରାଜାବଳୀ ‘ସାଲ୍ୟୁଟ୍’ର ସ୍କ୍ରିପ୍ଟ ରାଇଟର ହୋଇଥିବା ବେଳେ ମହେଶ ମଥାଇ ଏହାକୁ ଡାଇରେକ୍ଟ କରୁଛନ୍ତି । ସିଦ୍ଧାର୍ଥ ରୟ କପୁର ଏବଂ ରୋନୀ ସ୍କୃୱାଲା ମିଶି ଏହାକୁ ପ୍ରଡ୍ୟୁସ୍ କରିବେ । ଫେବ୍ରୁଆରୀ ମାସରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ‘ସାଲ୍ୟୁଟ୍’ ବ୍ୟତୀତ ଫାତିମାଙ୍କ ହାତରେ ‘ଭୂତ୍ ପୋଲିସ’, ‘ଲୁଡୋ’, ‘ସୂରଜ୍ ପେ ମଙ୍ଗଲ ଭାରୀ’ ଫିଲ୍ମ ରହିଛି ।


