ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଉପରେ ମିଶନଶକ୍ତି ଗୃହ ନିର୍ମାଣକୁ ପଞ୍ଚାୟତ ମହିଳା ମହାସଙ୍ଘର ବିରୋଧ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହ ଉପରେ ମିଶନଶକ୍ତି ଗୃହ ନିର୍ମାଣକୁ ପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘର କର୍ମକର୍ତ୍ତାଙ୍କ ସମେତ ସଭ୍ୟାମାନେ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ଯେ ସେହି ପଞ୍ଚାୟତର ମକନ୍ଦର ଗ୍ରାମରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହ ଉପରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘ ପାଇଁ ଏକ ମିଶନଶକ୍ତି ଗୃହ ନିର୍ମାଣ କରାଯିବାକୁ ଯୋଜନା କରାଯାଉଛି । ଏସମ୍ପର୍କରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘର କର୍ମକର୍ତ୍ତାମାନଙ୍କୁ ଅବଗତ କରାନଯାଇ ସେମାନଙ୍କ ଅଗଚୋରରେ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି । କିନ୍ତୁ ସେହି ଗୃହର ମୂଳଦୁଆ ମଜଭୁତ ନଥିବାରୁ ସେହି ଗୃହ ଉପରେ ମିଶନଶକ୍ତି ଗୃହ ନିର୍ମାଣ କରାଗଲେ ସେହି ଗୃହର ସ୍ଥାୟୀତ୍ୱ ଉପରେ ଭବିଷ୍ୟତରେ ବିପଦ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଏତଦ୍‌ବ୍ୟତିତ ସେହି ଗୃହ ନିର୍ମାଣରେ ଖର୍ଚ୍ଚ ହେବାକୁ ଥିବା ସରକାରୀ ଅର୍ଥ ଅପବ୍ୟୟ ହେବାର ଆଶଙ୍କା ମଧ୍ୟ ରହିଛି । ସେହି ସ୍ଥାନରେ ଗୃହ ନିର୍ମାଣ କରାଗଲେ ସେହି ମିଶନଶକ୍ତି ଗୃହକୁ ବୈଠକରେ ଯୋଗଦେବାକୁ ଯିବା ସମୟରେ ମହିଳାମାନଙ୍କ ପାଇଁ ବିପଦର ଆଶଙ୍କା ରହିଥିବା ଅଭିଯୋଗ ହୋଇଛି । ତେଣୁ ଏକ ବୈଷୟିକ ଅଭିଜ୍ଞତା ସମ୍ପନ୍ନ ଟିମ ଦ୍ୱାରା ସେହି ଗୃହର ମୂଳଦୁଆ ସମ୍ପର୍କରେ ଯାଞ୍ଚ କରାଯିବା ସହିତ ପଞ୍ଚାୟତର ଏକ ମଧ୍ୟସ୍ଥଳରେ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ ପାଇଁ ଯାତାୟତ ଓ ବୈଠକ ପାଇଁ ସୁବିଧା ହେଉଥିବା ସ୍ଥାନ ନିରୂପଣ କରାଯାଇ ସେଠାରେ ମିଶନଶକ୍ତି ଗୃହ ନିର୍ମାଣ କରାଯିବାକୁ ପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘର କର୍ମକର୍ତ୍ତା ଓ ସଭ୍ୟାମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏସମ୍ପର୍କରେ ମଧୁଶାସନ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ଉପରୋକ୍ତ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିବା ମହାସଙ୍ଗ ପକ୍ଷରୁ ସୂଚନା ଦିଆଯାଇଛି । ମଧୁଶାସନ ପଞ୍ଚାୟତ ସ୍ତରୀୟ ମହାସଙ୍ଘର ସଭାନେତ୍ରୀ ରଞ୍ଜିତା ଦାସ, ସମ୍ପାଦିକା ସୁନିତା ଦାସ, ସଭ୍ୟା ଜୟନ୍ତୀ ମହାରଣା, ରୋଜାଲିନ ତ୍ରିପାଠୀ, ମୁସଲେମୁନ ବିବି, ବିଜୟାଲକ୍ଷ୍ମୀ ସେଠୀ, ମଞ୍ଜୁଲତା ବାରିକ, ସନ୍ଧ୍ୟାରାଣୀ ସୁତାର,ସାବେରା ଖାତୁନ, ସଫିକା ଅହେମ୍ମଦ, ଆସମା ଖାତୁନ, ୟାଶ୍ମିନ ଆରା, ହୁସନାରା ବେଗମ, ନର୍ମଦା ନାୟକ, ସଶ୍ମିତା ନାୟକ, ମୀନାରାଣି ମଳିକ, ମୈାସୁମୀ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ