ରାଜୁଆ ଜଳସେଚନ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଲେ ସ୍ଥାନୀୟ ଗ୍ରାମବାସୀ

ଖୋର୍ଦ୍ଧା, (ୱାଇଏନ୍‍ଏସ୍‍): ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗ ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ କ୍ଷୟକ୍ଷତିର ଆକଳନ ଓ ପରିଦର୍ଶନ ପାଇଁ ଯାଇଥିଲେ । ତେବେ ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତର ଦେଇପାରିନଥିଲେ । ଯାହାଦ୍ୱାରା ଗ୍ରାମବାସୀ ଉତ୍ୟେକ୍ତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀ ଉତକ୍ଷିସ୍ତ ହୋଇ ରହିଥିଲେ । ତେଣୁ ଉତକ୍ଷିସ୍ତ ଗ୍ରାମବାସୀ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଥିବାର ଜଣାପଡିଛି । ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ଗ୍ରାମ ପଞ୍ଚାୟତ ମଲାଗୁଣି ନଦୀ ଲଗାଣ ବର୍ଷା ଯୋଗୁଁ ଫୁଲି ଉଠିଛି । ଫଳରେ ଏହାର ପାଣି ଭଗବତୀପଡା ଗାଁ ରାସ୍ତାରେ ପ୍ରବାହିତ ହେଉଛି । ଗୋଳବାଇ – କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ରାସ୍ତା ହେଉଛି ଏକମାତ୍ର ରାସ୍ତା, ଯେଉଁଥିରେ ହଜାର ହଜାର ଲୋକ ଯାତାୟାତ କରନ୍ତି । ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ସେହି ରାସ୍ତା ଟିକୁ ସମ୍ପୂର୍ଣ୍ଣ କଟାଯାଇଥିଲା । କିନ୍ତୁ, ଏହାର ସ୍ଥାୟୀଭାବେ ମରାମତି ନକରାଯାଇ କେବଳ ମାଟି ପକାଇ ଛାଡି ଦିଆଯାଇଥିଲା । ଫଳରେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି କାଦୁଅ ହୋଇ ଯାଇଥିଲା । ଉକ୍ତ ରାସ୍ତାରେ ଲୋକେ ଚାଲିକି ଯିବା ପାଇଁ କୁଣ୍ଠାବୋଧ କରୁଥିଲେ । ରାସ୍ତାରେ ପାଣିକାଦୁଅ ପୂର୍ଣ୍ଣ ହୋଇରହିଥିବାରୁ ଲୋକେ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା । କେବଳ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଥିଲା । ଏଭଳି ପରିସ୍ଥିତିରେ ଗ୍ରାମବାସୀ ହଇରାଣ ହେଉଥିବାରୁ ଯଥା ଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି । ନଚେତ୍ ଏହି ରାସ୍ତା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ