ରାଧାମଣୀଙ୍କୁ ନ୍ୟାୟ ମିଳିବ କେବେ ?
ଯାଜପୁର, – ଯାଜପୁର-ମଙ୍ଗଳପୁର ଥାନା ଅନ୍ତର୍ଗତ ପ୍ରକଟପୁର ଗ୍ରାମର ରାଧାମଣୀ ସେନାପତି(୫୦) ୨୦୦୧ ମସିହାରେ ରାଧାମଣୀଙ୍କ ଆଖିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ଯାଜପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ତେବେ ଡାକ୍ତର ତାଙ୍କୁ ତ୍ରୁଟପୂର୍ଣ୍ଣ ଚିକିତ୍ସା କରିଥିଲେ । ଯେଉଁ ଔଷଧ ଡାକ୍ତର ତାଙ୍କ ପ୍ରେସକ୍ରିପସନ୍ରେ ଲେଖିଥିଲେ ତାହା ଖାଇବା ଦ୍ୱାରା ରାଧାମଣୀଙ୍କ ଛାତିରେ ଖୁବ୍ ଯନ୍ତ୍ରଣା ହେବାର ଅନୁଭବ କରିଥିଲେ । ଏବଂ ପ୍ରବଳ କଫ ଜମିବା ସହ ଦୁଇଟି ଆଖିକୁ ଆଉ ଦେଖାଗଲା ନାହିଁ । ସେ ଅନ୍ଧୁଣି ପାଲଟିଗଲେ । କେବଳ ସେତିକି ନୁହେଁ ତାଙ୍କର ୬ ମାସର ଶିଶୁପୁତ୍ର ମାଆଠାରୁ କ୍ଷୀରଖାଇ ମୃତ୍ୟୁବରଣ କରିଥିଲା । ଏହି ଘଟଣା ତଦନ୍ତ ତକ୍ରାଳୀନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କରିଥିଲେ ଏବଂ ଉନ୍ନତମାନର ଚିକିତ୍ସା କରିବାପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ସେଠୁ ନିରାଶ ହେବାପରେ ଡାକ୍ତର ଦିଲ୍ଲୀ ଏମସ୍କୁ ପଠାଇ ଦେଇଥିଲେ । ୨୦୦୨ ଅଗଷ୍ଟ ୧୭ରେ ରାଧାମଣୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ପୁଣି ୨୦୦୪ ଅକ୍ଟୋବର ୩୦ ଏବଂ ୨୦୦୬ ଜୁନ୍ ୫ ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ । ମାତ୍ର ତାଙ୍କର ସଚିବମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରକୃତ ତଥ୍ୟ ନଜଣାଇ ଭୁଲ କଥା କହିବାରୁ ୧୦ ହଜାର ଟଙ୍କା ତାଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟି କୌଣସି ସଫଳତା ପାଇନଥିଲେ ରାଧାମଣୀ । ବିଧାନସଭାରେ ବିରୋଧୀଦଳ ପକ୍ଷରୁ ଏ ପ୍ରସଙ୍ଗରେ ପ୍ରଶ୍ନ ହୋଇଥିଲା । ପ୍ରଶାସନିକ ସ୍ତରରେ ମଧ୍ୟ ତଦନ୍ତ ହେଲା ଏବଂ ଚିକିତ୍ସା ଖର୍ଚ୍ଚ ବାବଦରେ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ପରିତାପର ବିଷୟ ଦିଲ୍ଲୀରେ ଡାକ୍ତର ଆଖିଡୋଳା ବାହାର କରିବାପାଇଁ ପରାମର୍ଶ ଦେଇଥିଲେ । ରାଧାମଣୀ ନିରାଶ ହୋଇ ଅପରେସନ୍ ନକରି ଘରକୁ ଫେରିଆସିବା ପରେ ରାଷ୍ଟ୍ରପତିଙ୍କୁ ମଧ୍ୟ ତାଙ୍କର ଦୁଃଖର କାହାଣୀ ଜଣାଇଥିଲେ । ରାଧାମଣୀଙ୍କ ସ୍ୱାମୀ ବିନୋଦ ସେନାପତି ଜଣେ ଗରିବ ଏବଂ ଜଣେ ବାଉଁଶ ବେପାରୀ ବୋଲି ଜାଣିବାକୁ ମିଳିଥିଲା । ନ୍ୟାୟ ପାଇଁ ସେ ଓ ତାଙ୍କ ସ୍ୱାମୀ ବିଭିନ୍ନ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହିତ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ରାଜ୍ୟପାଳଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ଆଜିପର୍ଯ୍ୟନ୍ତ ମିଳିପାରିନାହିଁ । ତାଙ୍କୁ ନ୍ୟାୟ ଦିଆଯିବାକୁ ନିର୍ଦ୍ଦେଶ କେବଳ କାଗଜପତ୍ରରେ ସୀମିତ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟି ସେ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଜାତିସଂଘ ଓ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନକୁ ମଧ୍ୟ ଅନୁରୋଧ କରିଛନ୍ତି । ସମସ୍ତଙ୍କଠାରୁ ନିରାଶ ହେବାପରେ ଇଚ୍ଛା ମୃତ୍ୟୁ ପାଇଁ ରାଜ୍ୟପାଳଙ୍କ ଅନୁମତି ଲୋଡ଼ିଛନ୍ତି ଏବଂ ସ୍ୱାମୀ ଓ ପୁଅଙ୍କ ସହ ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଅନଶନ କରିବା ସଙ୍ଗେ ସଙ୍ଗେ ଆତ୍ମାହୂତି ଦେବାପାଇଁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । କାରଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବା ସରକାରୀ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଉଥିବାରୁ ଏହି ମହିଳା ହାଇକୋର୍ଟର ଦ୍ୱାରସ୍ଥ ହେବାସହ ଉପଯୁକ୍ତ କ୍ଷତିପୂରଣ ଓ ଦୋଷୀକୁ ଦଣ୍ଡବିଧାନ କରିବାପାଇଁ ସେ ଆକୁଳ ନିବେଦନ କରିଛନ୍ତି । ଏଣୁ ଏଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହୋଇଛି ।


