ସେବା ମାଧ୍ୟମରେ ବିଶ୍ୱକୁ ଯୋଡ଼ିବା଼ ରୋଟାରୀ ର ମୂଳ ଲକ୍ଷ୍ୟ
ଭଦ୍ରକ, : ରୋଟାରୀ କ୍ଳବ୍ ମିଡ଼ଟାଉନ୍,ଭଦ୍ରକ ପକ୍ଷରୁ ଜିଲ୍ଲାସ୍କୁଲଠାରେ ‘ଜୟ ଅଫ୍ ଗିଭିଙ୍ଗ୍’ ଉତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରୋଟାରୀ କ୍ଳବ୍ ମିଡ଼ଟାଉନ,ଭଦ୍ରକର ସଭାପତି ଅତିଶ କୁମାର ବେହେରା ମୂଖ୍ୟ ଅତିଥି ଓ ରୋଟାରିଆନ୍ ନିମିଷ ପାରେଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ତଥା ରୋଟାରିଆନ୍ ଅଶୋକ କୁମାର ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କହିଥିଲେ, ‘ସେବା ମାଧ୍ୟମରେ ସାରା ବିଶ୍ୱକୁୁ ଯୋଡ଼ିବା ହେଉଛି ରୋଟାରୀ ଅନୁଷ୍ଠାନର ମୂଳଲକ୍ଷ୍ୟ,ଏହାହିଁ ରୋଟାରୀ ପାଇଁ ‘ଜୟ ଅଫ୍ ଗିଭିଙ୍ଗ୍’ ।’ରୋଟାରୀ କ୍ଳବ୍ ମିଡ଼ଟାଉନ୍ର ସଭାପତି ଅତିଶ କୁମାର ବେହେରା ସେବା ମାଧ୍ୟମରେ ସମାଜକୁ କିଛି ଦେବା ତଥା ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ରୋଟାରୀ କ୍ଲବ୍ ସଦା ସର୍ବଦା ଚେଷ୍ଟିତ ରହିଆସିଛି ବୋଲି କହିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ରତିକାନ୍ତ ବେହେରା ,ନରେନ୍ଦ୍ର ପ୍ରସାଦ ସାହୁ ,ମନୋଜ ରାୟ,ଜୟନ୍ତୀ କରଶର୍ମା,ମିନତି ପଣ୍ଡା ଓ ରୋଟାରିଆନ୍ ନିମିଷ ପାରେଖ ପ୍ରମୁଖ ଆଧୁନିକତାର ଛାପ ତଥା ଯାନ୍ତ୍ରିକ ଜୀବନ ମଧ୍ୟରେ ମଣିଷ ମଣିଷପଣିଆ ଠାରୁ ଦୂରେଇ ଯାଉଛି ଏବଂ ତାଠାରେ ସେବା,ଏକତ୍ୱ ଓ ସହଭାଗୀତା ପ୍ରଭୃତି ମାନବୀୟ ଲକ୍ଷଣ ହ୍ରାସ ପାଉଛି ବୋଲି ମତ ଦେଇଥିଲେ । ଛାତ୍ରଛାତ୍ରୀମାନେ କିପରି ଛୋଟ ଛୋଟ ସେବା ମାଧ୍ୟମରେ ନିଜ ପିତାମାତା,ଗୁରୁଜନ,ସହପାଠୀ ତଥା ସମାଜର ପ୍ରତ୍ୟେକଟି ଅସହାୟ ବ୍ୟକ୍ତିର ମୁହଁରେ ହସ ଫୁଟାଇ ପାରିବେ ସେ ସମ୍ବନ୍ଧରେ ଶିକ୍ଷକ-ଶିକ୍ଷୟତ୍ରୀ ଓ ଅତିଥିମାନେ ଉପାଦେୟ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ସଭାପତିତ୍ୱ ଅଭିଭାଷଣରେ କହିଥିଲେ ,‘କିଛି ଦେବା ପାଇଁ ଧନରେ ନୁହେଁ ମନରେ ଧନୀ ହେବା ଆବଶ୍ୟକ ଏବଂ ସେବା ହିଁ ସବୁଠୁ ବଡ଼ ଦେବା ।’ଏହାପରେ ରୋଟାରୀ କ୍ଲବ୍ ମିଡ଼ଟାଉନ୍ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ପ୍ରୟାସରେ ବିଦ୍ୟାଳୟର ଦଶ ଜଣ ମେଧାବୀ ଶିକ୍ଷାର୍ଥୀଙ୍କୁ ଟେଷ୍ଟ୍ ପେପର ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଉପହାର ଦିଆଯାଇ ଉତ୍ସାହିତ କରାଯାଇଥିଲା । ରୋଟାରୀ କ୍ଲବ୍ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଳିତ ଭାବେ ବିଦ୍ୟାଳୟରେ ଏପରି ଏକ ଅନନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର କର୍ମଚାରୀ ଅମରେନ୍ଦ୍ର ରାଉତ ଓ ସ୍ମରଜିତ୍ ମହାନ୍ତି ପ୍ରମୁଖ ଏହି ଉତ୍ସବ ପରିଚାଳନାରେ ସହାୟତା କରିଥିଲେ ।


