ରିଲିଜ୍‌ ହେଲା ‘ଖାଲି-ପିଲି’ର ଫାଷ୍ଟ ଲୁକ୍‌

ମୁମ୍ବାଇ : ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେ ବଲିଉଡ୍‌ରେ ଏକ ଧମାକାଦାର ଡେବ୍ୟୁ କରିଥିଲେ। ଜାହ୍ନବୀ କପୁରଙ୍କ ସହିତ ଈଶାନ ‘ଧଡ଼କ’ ଓ ଟାଇଗର ଶ୍ରଫ୍‌ ଓ ତାରା ସୁତାରିଆଙ୍କ ସହ ଅନନ୍ୟା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର ୨’ରେ ଡେବ୍ୟୁ କରିଥିଲେ। ଏହି ଦୁଇ ଅଭିନେତାଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପ୍ରଶଂସା କରିଥିଲେ। ଏବେ ଈଶାନ ଓ ଅନନ୍ୟା ‘ଖାଲି-ପିଲି’ ସିନେମାରେ ନଜର ଆସିବାକୁ ଯାଉଛନ୍ତି। ଯେବେଠାରୁ ଏହି ଫିଲ୍ମର ଘୋଷଣା ହୋଇଥିଲା, ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ‘ଖାଲି-ପିଲି’ର ନିର୍ମାତା ଏହି ଫିଲ୍ମର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଈଶାନ ଜଣେ ଟ୍ୟାକ୍ସି ଡ୍ରାଇଭର ଓ ଅନନ୍ୟା ଟ୍ୟାକ୍ସିରେ ଯାତ୍ରୀ ରୂପରେ ଦେଖାଯାଉଛନ୍ତି। ଫଟୋରେ ଈଶାନ ବହୁତ କୁଲ୍‌ ରଖାଯାଉଥିଲାବେଳେ ଅନନ୍ୟା କିଛି ମାତ୍ରାରେ ଚିନ୍ତିତ ଥିବା ଦେଖାଯାଉଥିଲେ। ଈଶାନ ମଧ୍ୟ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଫିଲ୍ମ ସମ୍ପର୍କରେ ଅନନ୍ୟା କହିଛନ୍ତି ଯେ ସେ ଇଣ୍ଟେନ୍ସ ରୋମାଣ୍ଟିକ୍‌ ଫିଲ୍ମ କରିବାକୁ ଚାହୁଥିଲେ। ‘ଖାଲି-ପିଲି’ ଏଭଳି ଏକ ସିନେମା। ଈଶାନଙ୍କ ସହିତ କାମ କରିବାରେ ବହୁତ ମଜା ଆସିବ ବୋଲି ଅନନ୍ୟା କହିଛନ୍ତି। ମକବୁଲ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଥିବା ଏହି ସିନେମାର କାହାଣୀ ମୁମ୍ବାଇ ଉପରେ ଆଧାରିତ। ଏହାର ଅଧିକାଂଶ ଶୁଟିଂ ରାତି ସମୟରେ ହୋଇଛି। ଫିଲ୍ମରେ ଜୟଦୀପ ଅହଲବତ ନେଗେଟିଭ୍‌ ଚରିତ୍ରରେ ଦେଖାଦେବେ। ୧୨ ଜୁନ୍‌ ୨୦୨୦ରେ ଏହି ସିନେମା ରିଲିଜ୍‌ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ