ଶ୍ରୀରାମବଜାରରେ ଅସାମାଜିକ ମଦ୍ୟପ ବ୍ୟକ୍ତିଙ୍କ ଉପଦ୍ରବ, ବଜାରବାସୀ ଅସନ୍ତୋଷ

କଟକ, (ଯୁଗାବ୍ଦ ନ୍ୟୁଜ) : କଟକ ଜିଲ୍ଲାରେ ନୂତନ ଭାବେ ଗଠିତ ୪୨ମୌଜା ଥାନା ଅର୍ନ୍ତଗତ ୬ଗୋଟି ପଂଚାୟତର ସମସ୍ତ ଗ୍ରାମ, ସାହି, ଛକ ବଜାରଗୁଡିକରେ ଦିନକୁ ଦିନ ନିଶାଖୋର ବ୍ୟକ୍ତିଙ୍କ ଉପଦ୍ରବ ପ୍ରବଳ ମାତ୍ରରେ ବଢିଚାଲିଛି । ବିଶେଷଭାବରେ ଶ୍ରୀରାମବଜାର ଏକ ଜନବହୁଳ ଅଂଚଳ ହୋଇଥିବା ସହ ଏହା ନିକଟରେ ସ୍କୁଲ୍‌, ସୁଦର୍ଶନ କଲେଜ୍‌, ପଂଚାୟତ ଅଫିସ ସହିତ ଆଧାରକେନ୍ଦ୍ର, ମେଡପ୍ଲସ୍ ମେଡିସିନ୍‌କୁ ସାଧାରଣ ଜନତା, ମହିଳାମାନେ ରାସ୍ତାଘାଟରେ ଯିବା ସମୟରେ ଅସାମାଜିକ ମଦ୍ୟପ ବ୍ୟକ୍ତିଙ୍କ ଲାଲୁପ ଦୃଷ୍ଟିର ଶୀକାର ହେଉଛନ୍ତି । ଯଦ୍ୱାରା ଦିବାରାତ୍ର ସମୟରେ ନିଶାଗ୍ରସ୍ଥ ବ୍ୟକ୍ତିମାନଙ୍କ ଉତ୍‌ପାତ ଯୋଗୁ ଛକମାନଙ୍କରେ ଜନସାଧାରଣ ଯିବା ଆସିବାରେ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ସେହିପରି ନିଶାଗ୍ରସ୍ଥ ବ୍ୟକ୍ତିମାନେ ଦୋକାନୀମାନଙ୍କୁ ଗାଳିଗୁଳଜ କରିବା ସହିତ ଚୋରୀଚାପଟ କରୁଥିବା ସହ ଦୋକାନ ଭଙ୍ଗାରୁଜା କରିବାକୁ ପଛାଉନଥିବା ବଜାରର କର୍ମକର୍ତାମାନେ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ୪୨ମୌଜା ଥାନା ପୋଲିସ୍ ତରଫରୁ କେବଳ ହେଲମେଟ୍‌, ମାସ୍କ ଚେକିଂ କରାଯାଉଥିବା ବେଳେ ମଦ୍ୟପ, ଅପରାଧିମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେଉନଥିବା ବଜାର କମିଟିର ମୁଣ୍ଡବିନ୍ଧାର କାରଣ ସାଜିଛି । ଏଥିପାଇଁ ୪୨ମୌଜା ଥାନା ପୋଲିସ୍ ତରଫରୁ ୨୪ଘଂଟିଆ କଡାକଡି ପେଟ୍ରୋଲିଂ ଶ୍ରୀରାମ ବଜାରରେ କରି ମଦ୍ୟପ ନିଶାଖୋରମାନଙ୍କୁ ଧରିବା ସହ ଅସାମାଜିକ, ଅପରାଧିଶ୍ରେଣୀୟ ବ୍ୟକ୍ତିମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ସାମାଜିକ ସଂଗଠନର କର୍ମକତା ଓ ଶ୍ରୀରାମ ବଜାର ପୂଜା କମିଟି ତରଫରୁ ୫ଟି ସଚିବଙ୍କ ସହିତ ଗୃହ ସଚିବ, ଗୃହ ମନ୍ତ୍ରୀ , ପୋଲିସ୍ ଡିଜି, କମିସନରେଟ୍ ପୋଲିସ୍ କମିସନର, କଟକ ଡିସିପି, ୪ନଂ ଜୋନ୍ କଟକସଦର ଏସିପି ଏବଂ ୪୨ମୌଜା ଥାନା ଅଧିକାରୀ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନା କରାଯାଇଛି । ନଚେତ୍ ଏହା ପ୍ରତିବାଦରେ ମୁଖ୍ୟରାସ୍ତା ଓ ଥାନା ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ୪୨ମୌଜା ଯୁବଜାଗରଣ ମଂଚର ଲକ୍ଷ୍ମଣ ସିଂହ, ରାଜଶ୍ରୀ ଦେବୀ, ନାରାୟଣ ଦେବତା ଓ ପୂଜା କମିଟି ତରଫରୁ ସମସ୍ତ କର୍ମକତା, ବ୍ୟବସାୟୀ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ