ରୂପେ ଗ୍ଲୋବାଲ୍ କାର୍ଡ ଗ୍ରାହକ ସଂଖ୍ୟା ୬୪ ନିୟୁତ ଟପିଲା
ମୁମ୍ବାଇ, (ଏଜେନ୍ସି): ୨୦୧୪ରେ ପ୍ରଥମ ରୂପେ-କାର୍ଡ଼ ପ୍ରଦାନ କରିବା ଠାରୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନ୍ପିସିଆଇ) ୬୪ ନିୟୁତ ରୂପେ ଗ୍ଲୋବାଲ କାର୍ଡ଼ ପ୍ରଦାନ କରି ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି । ଦେଶର ରୂପେ-କାର୍ଡ଼ ନେଟ୍ୱାର୍କ ପରିଚାଳନା କରୁଥିବା ଏନ୍ପିସିଆଇ ଦେଶ ବାହାରେ ବ୍ୟବହାର ହେଉଥିବା ନିଜର ରୂପେ ଗ୍ଲୋବାଲ କାର୍ଡ଼ ଡିସକଭର ନେଟୱର୍କ ଦ୍ୱାରା ପରିଚାଳିତ କରୁଛି । ଏହି ସହଭାଗୀତା ଦ୍ୱାରା ଭାରତୀୟ ରୂପେ-କାର୍ଡ଼ ବିଶ୍ୱସ୍ତରରେ ନିଜ ପାଦଚିହ୍ନ ଥାପିପାରିଛି । ଏହି ଅବସରରେ ଏନ୍ପିସିଆଇ ସିଓଓ ପ୍ରବିଣା କହିଛନ୍ତି ଯେ ୬୪ ନିୟୁତ ରୂପେ ଗ୍ଲୋବାଲ କାର୍ଡ଼ ଗ୍ରାହକଙ୍କ ଆନ୍ତର୍ଜାତୀୟ ଗ୍ରହଣୀୟତା ପ୍ରତି ଦୃଷ୍ଟି ଦିଆଯାଉଛି । ଡିସକଭର ନେଟୱର୍କ ସହାୟତାରେ ପରିଚାଳିତ ରୂପେ ଗ୍ଲୋବାଲ କାର୍ଡର ୧୯୦ଟି ରାଷ୍ଟ୍ରରେ ବ୍ୟବସାୟିକ ଗ୍ରାହକ ସଂଖ୍ୟା ୪୧ ନିୟୁତରୁ ଅଧିକ ଏବଂ ଏହା ବୃଦ୍ଧି ପାଉଛି । ଡିସକଭର ନେଟୱର୍କ ସହ ସହଭାଗୀତା ଦ୍ୱାରା ଗ୍ରାହକ ଉଭୟ ବ୍ରାଣ୍ଡର ଆନ୍ତର୍ଜାତିକ ଡ଼େବିଟ୍ ଓ କ୍ରେଡ଼ିଟ୍ କାର୍ଡ଼ ପାଇପାରିବେ । ଯଦ୍ୱାରା ଏହି କାର୍ଡ଼ ଭାରତରେ ଏନ୍ପିସିଆଇ ଦ୍ୱାରା ସହବନ୍ଧିତ ବ୍ୟାଙ୍କରେ ମଧ୍ୟ କାର୍ଯ୍ୟକ୍ଷମ ରହିପାରିବେ । ରୂପେ ଗ୍ଲୋବାଲ ଡେବିଟ୍ ଓ କ୍ରେଡ଼ିଟ କାର୍ଡ଼ ଏବେ ୪୦ଟି ବ୍ୟାଙ୍କ ପ୍ରଦାନ କରୁଛନ୍ତି । ଆମେରିକା, ସିଙ୍ଗାପୁର ଓ ଶ୍ରୀଲଙ୍କା ଆଦି ରାଷ୍ଟ୍ରରେ ଏହି କାର୍ଡ଼ ଜରିଆରେ କ୍ରୟ କରାଯାଇପାରିବ ଏବଂ ଟଙ୍କା ଉଠାଣ ମଧ୍ୟ ହୋଇପାରିବ । ସମ୍ପ୍ରତି ରୂପେ କ୍ଲାସିକ କ୍ରେଡ଼ିଟ୍ ଓ ଡ଼େବିଟ କାର୍ଡ଼, ରୂପେ ପ୍ଲାଟିନମ ଡ଼େବିଟ୍ ଓ କ୍ରେଡ଼ିଟ କାର୍ଡ଼, ରୂପେ ସିଲେକ୍ଟ କ୍ରେଡ଼ିଟ କାର୍ଡ଼ ପ୍ରଦାନ କରାଯାଉଛି ।