ଲକଡାଉନ ଯୋଗୁଁ ୧୮ ବର୍ଷ ପରେ ଘରକୁ ଫେରିଲେ
କରୋନା ଭାଇରସ ସଂକ୍ରମଣ ଭୟରେ ଜାରି ହୋଇଥିବା ଲକଡାଉନ ଏହି ସମୟରେ ଉତ୍ତରପ୍ରଦେଶ ଗୋରଖପୁର ସହରର ଏକ ନିଆରା ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କୁ ମୃତ ମନେ କରି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସେ ୧୮ ବର୍ଷ ପରେ ଫେରି ଆସିଛନ୍ତି । ଘଟଣାଟି ଗୋରଖପୁରର ପାଦ୍ରୀ ବଜାର ଅଞ୍ଚଳର । ସେଠାରେ ରହୁଥିବା ବେଚନ ନାମକ ଜଣେ ବ୍ୟକ୍ତି ପରିବାର ଗୁଜୁରାଣ ମେଣ୍ଟାଇବା ଲାଗି ୨୦୦୨ରେ ପଞ୍ଜାବକୁ କାମ କରିବାକୁ ଯାଇଥିଲେ । ହେଲେ ତା ପରେ ଆଉ ଘରକୁ ଫେରିଲେ ନାହିଁ । ମଜୁରିଆ ଭାବେ କାମ କରି ସେଠାରେ ପେଟ ପୋଷୁଥିବା ବେଳେ ଫୁଟପାଥରେ ଶୋଉଥିଲେ । ତେବେ ଲକଡାଉନରେ କାମ ଧନ୍ଦା ବନ୍ଦ ହୋଇଯିବାରୁ ବାଧ୍ୟ ହୋଇ ଏକ ଟ୍ରକ ସାହାଯ୍ୟରେ ନିକଟରେ ସେ ଘରକୁ ଫେରିଛନ୍ତି । ଦୁଇଝିଅ ତାଙ୍କର ଖୁବ ସ୍ୱାଗତ କରିଛନ୍ତି । ବେଚନଙ୍କ ଜଣେ ଝିଅ କହନ୍ତି, ବାପା ଘରକୁ ନ ଫେରିବାରୁ ସେମାନେ ତାଙ୍କ ମୃତ ବୋଲି ଧରି ନେଇଥିଲେ । ତେଣୁ ୨୦୧୨ରେ ବାପାଙ୍କର ଏକ ପ୍ରତୀକାତ୍ମକ ପିତୁଳା ବନାଇ ତାଙ୍କୁ ଜଙ୍ଗଲରେ ପୋଡ଼ି ଦିଆଯାଇଥିଲା । ଏହା ପରେ ଅନ୍ତିମ ସଂସ୍କାରରେ ସବୁ ବିଧି ପାଳନ କରାଯାଇଥିଲା । ଅନ୍ୟପଟେ ବେଚନଙ୍କ ପତ୍ନୀ ଚିନ୍ତା ଦେବୀ କିନ୍ତୁ ତାଙ୍କ ଉପରେ ଖୁବ ଅଭିମାନ କରିଛନ୍ତି ।


