ଲାଞ୍ଚ ନେବା ଅଭିଯୋଗରେ ଖାଉଟି ଅଦାଲତ ଷ୍ଟେନୋଙ୍କୁ ୩ ବର୍ଷ ଜେଲ୍

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ମାମଲା ସମାଧାନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗର ବିଚାର କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବୌଦ୍ଧ ଖାଉଟି ଅଦାଲତର ତତ୍କାଳୀନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଅଦାଲତ। ଜରିମାନା ଅନାଦେୟ ଆଉ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଖାଉଟି ଅଦାଲତର ତତ୍କାଳୀନ ଷ୍ଟେନୋ ମନ୍ମଥ ଗଡନାୟକ।ସୂଚନା ଅନୁଯାୟୀ, ଗତ ୨୦୧୯ ମସିହାରେ ବୌଦ୍ଧ ଥାନା ଅନ୍ତର୍ଗତ ଗିରସିଙ୍ଗା ଗ୍ରାମର ସତ୍ୟବାନ ପ୍ରଧାନଙ୍କ ବିଦ୍ୟୁତ ବିଲ ମାତ୍ରାଧିକ ଆସିବାରୁ ସେ ଏ ନେଇ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ବିଦ୍ୟୁତ ବିଭାଗ ଅଧିକାରୀ ତାଙ୍କୁ ଖାଉଟି ଅଦାଲତରେ ଏହି ମାମଲାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ, ସତ୍ୟବାନ ବୌଦ୍ଧ ଜିଲ୍ଲା ଖାଉଟି ଅଦାଲତରେ ଏକ ଅଭିଯୋଗ ଦେଇଥିଲେ। ସେଠାରେ ଷ୍ଟେନୋ ଥିବା ମନ୍ମଥ କୁମାର ଗଡନାୟକ ମାମଲାଟିକୁ ପଞ୍ଜୀକୃତ କରି ୫ ହଜାର ଟଙ୍କା ଲାଞ୍ଚ ଦେଲେ କାମ ହେବ ବୋଲି ସତ୍ୟବାନଙ୍କୁ କହିଥିଲେ। ଅଭିଯୋଗକାରୀ ୩ ହଜାର ଟଙ୍କା ଦେବା ପାଇଁ ରାଜି ହେବା ସହ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ୨୦୧୯ ମାର୍ଚ୍ଚ ୧୮ ତାରିଖ ଦିନ ସେ ସମ୍ପୃକ୍ତ ଷ୍ଟେନୋଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିବା ସହ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ୧୦ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ଫୁଲବାଣୀ ଭିଜିଲାନ୍ସ ଅଦାଲତ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ