ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ସ୍ୟାଣ୍ଡସିଟି ପକ୍ଷରୁ ସ୍ୱାସ୍ଥ୍ୟ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ସ୍ୟାଣ୍ଡସିଟିର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠାନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର, ରକ୍ତଦାଦ ଶିବିର ଓ ବୃକ୍ଷଚାରା ରୋପଣ ଆଦି କାର୍ଯ୍ୟକ୍ରମ ସୂନହଟ ୟୁଜିଏମଇ ସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସିଂହବାହିନୀ ଯୁବ ପରିଷଦ ଓ ବୋଇତ ବନ୍ଦାଣ କମିଟିର ମିଳିତ ସହଯୋଗରେ ଏହି ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ ସହ ସେବା କ୍ଷେତ୍ରରେ ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ସ୍ୟାଣ୍ଡସିଟି ସମସ୍ତଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି କହିଥିଲେ । ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ସ୍ୟାଣ୍ଡସିଟି ଗଭର୍ଣ୍ଣର ଗୌରୀ ଶଙ୍କର ଅଗ୍ରୱାଲ, ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୩ ଅନୁଷ୍ଠାନର ସମ୍ମିଳିତ ଉଦ୍ୟମରେ ହେଉଥିବା କାର୍ଯ୍ୟକ୍ର୍ରମ ବେଶ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଆଗାମୀ ଦିନରେ ବି ଏହିଭଳି ପଦକ୍ଷେପ ଜାରି ରଖିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । କ୍ଳବର ଚେୟାରମ୍ୟାନ ବିଷ୍ଣୁ ଖଣ୍ଡେଲୱାଲ, ସଭାପତି ଶଶିଭୂଷଣ ମିଶ୍ର ଓ ସମ୍ପାଦକ ଧର୍ମେନ୍ଦ୍ର ମୋରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଚିନ୍ମୟ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏହି ଶିବିରରେ ଅନ୍ୟାନ୍ୟ ରୋଗ ସହିତ ଚକ୍ଷୁ ପରୀକ୍ଷା କରାଯାଇଥିଲା । ମୋତିଆବିନ୍ଦୁ ଥିବା ରୋଗୀଙ୍କୁ ଚିହ୍ନଟ ସହ ସେମାନଙ୍କର ମାଗଣା ଅସ୍ତ୍ରୋପଚାର ପାଇଁ କ୍ଲବ ପକ୍ଷରୁ ନିଷ୍ପତି ନିଆଯାଇଛି । ସେହିଭଳି ରକ୍ତଦାନ ଶିବିରରେ ୩ ଅନୁଷ୍ଠାନର ବହୁ ସଦସ୍ୟ ରକ୍ତଦାନ କରିଥିଲେ । ପରେ ବୃକ୍ଷଚାରା ରୋପଣ କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ ଚଳିତ ଜୁଲାଇ ୨୨ରୁ ଆସନ୍ତା ଜୁନ ୨୩ ତାରିଖ ପର୍ଯ୍ୟନ୍ତ ଜିଲାର ପଞ୍ଚାୟତମାନଙ୍କରେ ଚାଲିବ ବୋଲି କ୍ଲବର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।


