ଶଟ୍ଡାଉନର ପ୍ରଥମ ଦିନ ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୧୧ ଟି ଜିଲ୍ଲାରେ ଜୁନ ମାସ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସମ୍ପୂର୍ଣ ଶଟ୍ଡାଉନ ଘୋଷଣା କରିଥିଲେ । ଗୋଟିଏ ଦିନରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଜଣେ ସବଇନ୍ସପେକ୍ଟର ସମେତ ୮ ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍ ଆସିଥିବା ନେଇ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଶୁକ୍ରବାର ରାତିରେ ଟୁଇଟ୍ ଯୋଗେ ସୂଚନା ଦେଇଥିଲେ । ପୂର୍ବରୁ ୨ ଦିନିଆ ସଟ୍ଡାଉନ ଘୋଷଣା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ମହାନଗର ନିଗମ ପାଇଁ ଶନିବାରଠାରୁ ୪ ଦିନିଆ ଶଟ୍ଡାଉନ ଘୋଷଣା କରିଥିଲେ। ଶଟ୍ଡାଉନର ପ୍ରଥମ ଦିନ ମହାନଗରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି। ମେଡିକାଲ କାମ ବ୍ୟତୀତ ଘରୁ କେହି ବାହାରି ନାହାନ୍ତି । ସହରରେ ଥିବା ସମସ୍ତ ଦୋକାନ, ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି । ଚାରି ଦିନିଆ ଶଟ୍ଡାଉନ ଯୋଗୁ ଶନିବାର ରାସ୍ତାଘାଟ ଶୁନଶାନ ରହିଥିବା ବେଳେ ବିଭିନ୍ନ ଛକରେ ପୋଲିସ ମୁତୟନ ହେଇଛି । ଏପରିକି ସହରର ବିଭିନ୍ନ ଗଳିରେ ପୋଲିସ ପେଟ୍ରୋଲିଂ କରିବା ସହ ଲୋକମାନଙ୍କୁ ଘରୁ ଜରୁରୀ କାମ ବିନା ବାହାରକୁ ନ ବାହାରିବାକୁ ସଚେତନ କରୁଛନ୍ତି । ସହରର ଅର୍ଣ୍ଣପୁର୍ଣ୍ଣା ମାର୍କେଟ ,ବଡ଼ବଜାର, ହୋଲସେଲ ତେଜରାତି ବଜ଼ାର,ଗିରି ମାର୍କେଟ , ସାନ ବଜ଼ାରର ସମସ୍ତ ଦୋକାନ ବନ୍ଦ ରହିଥିଲା। ସେହିପରି କୋର୍ଟପେଟା ମର୍ଦ୍ଧରାଜ ଭେଣ୍ଡିଂ ଜୋନ ,ବିଜିପୁର ଓ ଗେଟବଜ଼ାର ପରିବା ମାର୍କେଟ ବନ୍ଦ ରହିଥିଲା। ଏହି ୪ ଦିନିଆ ଶଟ୍ଡାଉନ ଘୋଷଣା ଯୋଗୁଁ ସହରବାସୀ ସମସ୍ତେ ନିୟମ ପାଳନ କରି ଘରେ ରହୁଛନ୍ତି । ସହରରେ କାଁ ଭାଁ କେଉଁଠି ବାଇକ ଚାଳକଙ୍କୁ ଦେଖିବାକୁ ମିଳିଛି। ତେବେ ରାସ୍ତାରେ ବୁଲୁଥିବା ଲୋକଙ୍କୁ ପୋଲିସ ଅଟକାଇ ପଚରାଉଚରା କରି ସଚେତନ କରୁଛନ୍ତି । ଆଗାମୀ ଦିନ ରେ ଶଟ୍ଡାଉନ ନିୟମକୁ ଆହୁରି କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ଏସ୍ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି ।


