ଶ୍ରୀ କୃଷ୍ଣ ଓ ରୁକ୍ମିଣୀ ଙ୍କ ବିବାହ ପରେ ତ୍ରିଦେବ ଙ୍କ ଗାଁ ପରିକ୍ରମା

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁରଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଗୋପୀନାଥ ଦେବଙ୍କ ବିବାହ ଉତ୍ସବ ପରେ ତ୍ରିଦେବ ଙ୍କ ଗାଁ ପରିକ୍ରମା ଆଜି ସଂଧ୍ୟାରେ ଆରମ୍ଭ ହୋଇଛି । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପ୍ରଭୁ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପରିସର ରେ ଶ୍ରୀ କୃଷ୍ଣ ଓ ରୁକ୍ମିଣୀ ଦେବୀ ଙ୍କ ମଧ୍ୟରେ ପାରମ୍ପରିକ ପ୍ରଥାନୁସାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଜି ଚମ୍ପକ ଦ୍ଵାଦଶୀ ସଂଧ୍ୟା ରେ ପୃଥକ ପୃଥକ ସୁସଜ୍ଜିତ ବିମାନ ରେ ଶ୍ରୀଗୋପୀନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ, ଶ୍ରୀ ନୀଳ କଣ୍ଠେଶ୍ଵର ଦେବ, ଶ୍ରୀ ବାଲୁଙ୍କେଶ୍ବର ଦେବ ଙ୍କୁ ଉପବେଶନ କରାଯାଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇଥିଲା । ଠାକୁର ମାନଙ୍କୁ ଏହି ସମୟ ରେ ଘର ଘର ଦ୍ୱାରି ଭୋଗ ଅର୍ପଣ କରାଯାଇଥିଲା । ଗ୍ରାମ ପରିକ୍ରମା କରି ସାରିବାପରେ ଶୁକ୍ରବାର ସକାଳୁ ଠାକୁର ମାନେ ବାଣମରା ଛକ ଠାରେ ଥିବା ପଥର ଖୁମ୍ବ ମଣ୍ଡପରେ ଉପବେସନ ହେବେ। ତ୍ରୟୋଦଶୀ ତିଥିରେ ଠାକୁର ମାନଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାର ର ବାଣ (ଆତସବାଜି) ଫୁଟାଯିବାର ପରମ୍ପରା ରହିଛି। ବିଭିନ୍ନ ବ୍ରାହ୍ମଣ ପରିବାର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କାଠଚକ୍ର ଏଠାରେ ମୁଖ୍ୟ ଆକର୍ଷଣ ପାଲଟି ଥାଏ। ଏହି କାଠଚକ୍ର ବ୍ରାହ୍ମଣ ପରିବାର ଙ୍କ ପକ୍ଷରୁ ନିଜ ଦ୍ୱାରା ଏକ ସ୍ବତନ୍ତ୍ର ଶୈଳୀ ରେ ପ୍ରସ୍ତୁତ କରାଯାଇଥାଏ। ବାରୁଦ ପ୍ରସ୍ତୁତି ଠାରୁ କାଠଚକ୍ର ବାଡେଇବା କାର୍ଯ୍ୟ ନିଜନିଜ ଘରେ ଥିବା ବଂଶାନୁକ୍ରମିକ ପୋଥି ଅନୁସାରେ ବ୍ରାହ୍ମଣ ମାନେ କରିଥାନ୍ତି। ଗୋଟିଏ କାଠଚକ୍ର ପ୍ରସ୍ତୁତିକରିବାରେ ଅନ୍ତତଃ ଗୋଟିଏ ମାସ ସମୟ ଲାଗୁଥିବା ବେଳେ ୫ ହଜାର ରୁ ୧୦ହଜାର ଟଙ୍କା ବ୍ୟୟ ହୋଇ ଥାଏ ବୋଲି କହିଛନ୍ତି ଗ୍ରାମବାସୀ ସନ୍ତୋଷ ମିଶ୍ର । ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ ଓ ବାଣଯାତ୍ରା ପାଇଁ ସମଗ୍ର ଦାଣ୍ଡ ମୁକୁନ୍ଦପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ