ଶ୍ରୀ ମନ୍ଦିରରେ ମହାପ୍ରଭୁ ଙ୍କ ବନଭୋଜି ବେଶ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଭାଦ୍ରବ ମାସ ର ଦଶମୀ ତିଥି। ଶ୍ରୀ ମନ୍ଦିର ରେ ପାରମ୍ପରିକ ପ୍ରଥାନୁସାରେ ଶ୍ରୀଜୀଉମାନଙ୍କର “ବନଭୋଜି ବେଶ ” ଅନୁଷ୍ଠିତ ହୋଇଛି। ଶ୍ରୀ ଜିୟୁ ମାନଙ୍କ ମଧ୍ୟାହ୍ନ ଧୂପ ବେଶରେ ଦୁଇଖଣ୍ଡ ଆଜ୍ଞାମାଳ (ବଡ଼ ବାଡ଼ରେ ଏକ ଖଣ୍ଡ, ମହାପ୍ରଭୁଙ୍କ ବାଡ଼ରେ ଏକ ଖଣ୍ଡ) ଲାଗି ହୁଏ। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡ଼ିଲା ଉତ୍ତାରେ ବଡ଼ ବାଡ଼ରୁ ଏକ ଖଣ୍ଡ ଓ ଜଗନ୍ନାଥଙ୍କ ବାଡ଼ରୁ ଏକ ଖଣ୍ଡ ଆଜ୍ଞାମାଳ ଅଣାଯାଇ ସେହି ଆଜ୍ଞାମାଳ ଯଥାକ୍ରମେ ଦକ୍ଷିଣ ଘରେ ଥିବା ରାମ ଓ କୃଷ୍ଣ ମୂର୍ତ୍ତିଙ୍କୁ ଦିଆଯାଏ। ଏହାପରେ ରାମକୃଷ୍ଣ ଦୁଇ ମୂର୍ତ୍ତିଙ୍କୁ ହସ୍ତରେ ବିଜେ କରି ବଟଦ୍ୱାର ଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ବିମାନବଡୁ ମାନେ ଘଣ୍ଟ, ଛତା, ଓ କାହାଳୀ ସହ ପାଲିଙ୍କି ନେଇ ମନ୍ଦିର ବାହାରେ (ବଡ଼ଛତାମଠ ନିକଟ) କାଷ୍ଠ ସିଂହାସନରେ ଦିଅଁଙ୍କୁ ବିଜେ କରାନ୍ତି। ଏଠାରେ କୋଳି ବିକା ନୀତି ହୁଏ। ଏହାପରେ ପୁଷ୍ପାଳକମାନେ ତିନିବାଡ଼ରେ ସନ୍ଧ୍ୟାଧୂପ ବେଶରେ ବନଭୋଜି କରନ୍ତି। ବନଭୋଜି ବେଶରେ ଠାକୁରମାନଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ। ଦୁଇ ଠାକୁର ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକ ଉପରେ ସୋଲ, ବେତ ଓ କନାରେ ନିର୍ମିତ ଚୂଳରେ ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ। ଦୁଇ ଠାକୁରଙ୍କ ଶ୍ରୀହସ୍ତରେ ଶିକାରେ (କନା ଓ ଜରିରେ ନିର୍ମିତ ପ୍ରାୟ ୪ଫୁଟ ଲମ୍ବା ଶିକା) ରୁପା ପିଙ୍ଗଣ ମଧ୍ୟରେ “ସର ” ରଖାଯାଏ ଓ ଅନ୍ୟ ହସ୍ତରେ ଏକ ଯଷ୍ଟି ଧାରଣ କରିଥାନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ବେଶରେ ଠାକୁରମାନେ ଏକ ସ୍ୱତନ୍ତ୍ର ଧରଣର ଦୁଇଟି ପେଡ଼ା (ଖୁଆ ପେଡ଼ା) ମାଳି ଧାରଣ କରିଥାନ୍ତି। ଏତଦ୍ ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦୁଇ ବାଡ଼ର ଶିକା ସର ଯୋଗ ହୁଏ ଓ ମଝିବାଡ଼ ସକାଶେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥାଏ। ପରମ୍ପରା ଅନୁଯାୟୀ ପୁରୀ ମହାଭୋଇ ସେବକମାନେ ଏ ସର ନେଇ ଶ୍ରୀ ମନ୍ଦିରକୁ ଯାଇଥାନ୍ତି। ମହାପ୍ରଭୁ ଙ୍କର ବନଭୋଜି ବେଶରେ ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଷ୍ଠରେ ନିର୍ମିତ ଗାଇ ବାଛୁରୀ ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି। ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରାୟ ରାମାନନ୍ଦ ଓ ସ୍ୱୟଂ ଶ୍ରୀ ଚୈତନ୍ୟଙ୍କ ପ୍ରଭାବରେ ହିଁ ଠାକୁରମାନ ଙ୍କର ଏହି ଆକର୍ଷଣୀୟ ବନଭୋଜି ବେଶ ପ୍ରଚଳନ ହୋଇଥିବା ଗବେଷକ ମାନେ ମତ ଦିଅନ୍ତି। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ସାକ୍ଷାତ କୃଷ୍ଣ ଓ ବଳରାମ ରୂପରେ ସଜାଇ ବନଭୋଜି ନିମନ୍ତେ ଗମନ କରୁଥିବା ଦୃଶ୍ୟକୁ ସ୍ମରଣ କରାଇଦେବା ହେଉଛି ଏ ବେଶର ମୁଖ୍ୟ ଉଦ୍ଦେଶ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ