ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଖରସ୍ରୋତା ବଞ୍ଚଅ ସଂଗ୍ରାମ ସମିତି ପକ୍ଷରୁ ଆସନ୍ତା ନଭେମ୍ବର ୧୬ତାରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ସେଠାରେ ଗଣଧାରଣା ଦିଆଯିବ । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ବରୁଣାଡିହା ଠାରେ ନିର୍ମାଣାଧିନ ବିବାଦୀୟ ମେଗା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ବୁଧବାର ସ୍ଥାନୀୟ ବିକାଶ ସାମ୍ମୁଖ୍ୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସି.ପି.ଆଇ.(ଏମ)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସ, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ଆଇ.ଟି.ୟୁ. ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ବାବାଜୀ ଧଳ, ସିପିଆଇ ଜିଲ୍ଲା ସହ ସମ୍ପାଦକ ଆଦିକନ୍ଦ ରାଉଳ, ଏସୟୁସିଆଇ ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ନେତା ଦୋଳଗୋବିନ୍ଦ ସାହୁ, କର୍ମଚାରୀ ନେତା ଅମୀୟ ନାୟକ, ନାରୀନେତ୍ରୀ ସୁହାନା ବେଗମ ପ୍ରମୁଖ ଯୋଗଦେଇ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ପ୍ରକାଶ ଥାଉକି ୨୦୧୯ମସିହା ଡିସେମ୍ବରମାସରୁ ଏହି ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚଅ ସଂଗ୍ରାମ ସମିତି ଆନ୍ଦୋଳନ କରି ଆସୁଅଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଜନ ବିରୋଧୀ ନୀତି, କେନ୍ଦ୍ରାପଡା ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଏହି ଆନ୍ଦୋଳନ ଚାଲିଛି । ଜିଲ୍ଲା ପ୍ରଶାସନର ଦମନ ନୀତି ବିରୋଧରେ ଓ ପ୍ରକଳ୍ପ ବନ୍ଦ କରିବା ପାଇଁ ଆଜିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ