ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କୁ ଓଡ଼ିଆଜାତି ଭୁଲିଯାଇଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଆନ୍ଦୋଳନର ଅଗ୍ରଣୀ ନେତା, ଓଡ଼ିଶାରେ ଆର୍ଯ୍ୟସମାଜର ପ୍ରଥମ ବାର୍ତ୍ତାବହ ତଥା ସଂସ୍କାରବାଦୀ ଆନ୍ଦୋଳନର ସ୍ରଷ୍ଟା ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ, ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଆଜି ପୂର୍ବାହ୍ନରେ ବୁଦ୍ଧମନ୍ଦିରରେ ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସଂସ୍କୃତିପ୍ରାଣ, ବାଗ୍ମୀ, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିମନ୍ତେ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ଦାନକୁ ଓଡ଼ିଆଜାତି ସମ୍ପୂର୍ଣ୍ଣ ଭୁଲିଯାଇଛି । ୧୫୧ବର୍ଷ ତଳେ ଏକ ପ୍ରତିଷ୍ଠିତ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ସେ ନାରୀ ଶିକ୍ଷା ଓ ବିଧବା ବିବାହ ପାଇଁ ଆଜକୁ ୧୦୦ବର୍ଷ ତଳେ ସ୍ୱର ଉତ୍ତୋଳନ କରି ଯେଉଁ ପ୍ରତିରୋଧର ସାମନା କରିଥିଲେ, ଆଜିର ଯୁବପିଢି ତାହା ପରିକଳ୍ପନା କରିପାରିବେ ନାହିଁ ।ସମ୍ମାନିତ ଅତିଥି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କୁ କାଳଳୟୀ ଯୁଗପୁରୁଷ ଭାବେ ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସ୍ମୃତିଚାରଣ କରି କହିଲେ ଯେ, ପ୍ରଥମେ ସେ ମହର୍ଷି ଦୟାନନ୍ଦଙ୍କ ସତ୍ୟାର୍ଥ ପ୍ରକାଶକୁ ପଢିଲା ପରେ, ସେ ସତ୍ୟକୁ ଗ୍ରହଣ କରିବା ସହ ଆର୍ଯ୍ୟ ସମାଜରେ ନିଜକୁ ସାମିଲ୍ କରି ନିଜର ସମସ୍ତ ସମ୍ପତ୍ତିକୁ ଆର୍ଯ୍ୟସମାଜକୁ ଦାନ କରି ଦେଇଥିଲେ ।
ସ୍ୱାଗତ ଭାଷଣ ଦେଇ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନର ସମ୍ପାଦକ ସୀତା ବଲ୍ଲଭ ମହାପାତ୍ର କହିଲେ ଯେ ଭୁବନେଶ୍ୱରରେ କିଛି ପ୍ରତିଷ୍ଠିତ ଲୋକ ଆର୍ଯ୍ୟସମାଜ ନାମରେ ବ୍ୟବସାୟ କରନ୍ତି, କିନ୍ତୁ ଏହିଭଳି ମହାମାନବଙ୍କ ବିଷୟରେ ଦିନକ ପାଇଁ ମନେ ପକାନ୍ତି ନାହିଁ । ଶେଷରେ ଆଲୋକ ମହାନ୍ତି ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବିଜୟ ଜେନା ଓ ସଂସ୍କୃତିପ୍ରାଣ ମୁରଲୀଧର ସ୍ମୃତିଚାରଣ କରିଥିଲେ । ସଭାର ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ଶରତ କୁମାର କର, ପୂର୍ବତନ ରାଜ୍ୟପାଳ ସୁରେନ୍ଦ୍ରନାଥ ଦ୍ୱିବେଦୀ, ନିଆଁଖୁଣ୍ଟାର ସମ୍ପାଦକ ଗୋଦାବରୀଶ ମହାପାତ୍ର ଓ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ