ସମବାୟ ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ; ସରକାରୀ ଭାବେ ଧାନ ବିକ୍ରୟରୁ ବଞ୍ଚିତ ହେବେ ୧୭ଶହ ଚାଷୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ପ୍ରାୟ ୭ଗୋଟି ସମବାୟ ସମିତିର ୧୭ଶହରୁ ଅଧିକ ଚାଷୀ ଚଳିତବର୍ଷ ସରକାରୀ ଭାବେ ଖରିଫ ଧାନ ବିକ୍ରୟରୁ ବଞ୍ଚିତ ହେବେ । ପ୍ରାରମ୍ଭିକ ଭାବେ ଏନେଇ ସରସଦା ସେବା ସମବାୟ ସମିତି ଅଧିନ ପ୍ରାୟ ୩୦୦ରୁ ଅଧିକ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଯେଉଁଥିପାଇଁ ସମିତିର ଭାରପ୍ରାପ୍ତ ସମ୍ପାଦକଙ୍କୁ ଦୁର୍ବ୍ୟବହାର ହୋଇଥିବା ଜଣାପଡିଛି । ଏବାବଦରେ ଆଜି ବାଲେଶ୍ୱର, ଭଦ୍ରକ କେନ୍ଦ୍ରୀୟ ସମବାୟ ଶାଖା କାର୍ଯ୍ୟାଳୟ ଠାରେ ସହକାରୀ ନିବନ୍ଧକ ସନ୍ତୋଷ ଦାସ ଏକ ଜରୁରୀ ବୈଠକ ଡାକିଥିଲେ । ସରସଦା ସମିତିର ଦୁଇଜଣ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ୩୦୦ରୁ ଅଧିକ ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଥିବା ପ୍ରାଥମିକ ଭାବେ ଜାଣିବାକୁ ପାଇଥିଲେ । ତେଣୁ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସହକାରୀ ନିବନ୍ଧକ ନିଷ୍ପତ୍ତି ନେଇ ଥିବା ବୈଠକରୁ ସ୍ପଷ୍ଟ ହୋଇଛି । ଏସମ୍ପର୍କରେ ଅଧିକଜାଣିବା ପାଇଁ ସହକାରୀ ନିବନ୍ଧକଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ କଲକୁ ରିସିଭ କରିନଥିଲେ । ଉକ୍ତ ବୈଠକରେ ସମବାୟ ପ୍ରଶାସନିକ ଅଧିକାରୀ ଅଭିଳାଷ ରଣା, ତେସିଙ୍ଗା ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, ଚାଷୀ କମିଟି ସଦସ୍ୟ ଦେବେନ୍ଦ୍ରନାଥ ଦଳ, ଜୟଦେବ ସାମଲ, ରାମଚନ୍ଦ୍ର ସେନାପତି, ଲକ୍ଷ୍ମୀଧର ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ ସମିତିର ସମ୍ପାଦକ ମାନେ ଉପସ୍ଥିତ ଥିଲେ । ଏଠାରେ ସୂଚିତ ଚଳିତବର୍ଷ ବିଭିନ୍ନ ସମିତିର ପ୍ରାୟ ୧୭ଶହ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହେଉଥିବା ଜାଣିବା ପରେ ଏହା ଆନ୍ଦୋଳନର ରୂପ ନେଉଥିବା ଜଣାପଡିଛି । ବିଭିନ୍ନ ସମିତିର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଅଭିଳାଷ ରଣାଙ୍କ ଦାୟିତ୍ୱ ହୀନତାରୁ ଚାଷୀମାନଙ୍କ ପଞ୍ଜିକରଣ ହୋଇପାରିନଥିବା ଜଣାପଡିଛି । ଯଦିଓ କେତେକ ଚାଷୀଙ୍କର ଅନଲାଇନରେ ନାମ ପଞ୍ଜିକରଣ ହୋଇଛି । ହେଲେ ଜମିର ପରିମାଣ ପଡିନଥିବାରୁ ସେମାନେ ଧାନ ବିକ୍ରୟରୁ ବଞ୍ଚିତ ହୋଇଛନ୍ତି । ସରକାରଙ୍କ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଶାସନିକ ଅଧିକାରୀ ଓ ସମିତି କତ୍ତୃପକ୍ଷ ପଞ୍ଜିକରଣ କାର୍ଯ୍ୟ କରିପାରିନଥିବାରୁ ଏଭଳିି ସମସ୍ୟା ଦେଖାଯାଇଛି । ଯଦିଓ ପଛରେ ତରବରିଆ ଭାବେ ଯୋଗାଣ ନିରୀକ୍ଷକଙ୍କ ଜରିଆରେ ପଞ୍ଜିକରଣ କାର୍ଯ୍ୟ ହୋଇଥିଲା ତାହା ସମ୍ଭବ ହୋଇପାରିନାହିଁ । କେବଳ ଅନଲାଇନରେ ଚାଷୀଙ୍କ ନାମ ଥିବାବେଳେ ଜମିର ପରିମାଣ ନଥିବାରୁ ବିଭିନ୍ନ ସମିତିର ଚାଷୀମାନେ ଏନେଇ ବିକ୍ଷୋଭ ଆରମ୍ଭ କରିବେ ବୋଲି ଜଣାପଡିଛି । ଏଥିପ୍ରତି ରାଜ୍ୟ ସରକାରଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟିନଦେଲେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଆଗାମୀ ଦିନରେ ଏକ ବଡ ଚାଷୀ ଆନ୍ଦୋଳନ ହେବ ଏଥିରେ ସନ୍ଦେହ ନାହିଁ ।


