ସମାଜବାଦୀ ପାର୍ଟିର ବିରୋଧ : ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଗତ ସପ୍ତାହରେ ସଚିବାଳୟ ନିରାପତ୍ତା କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ସ୍ୱରାଷ୍ଟ୍ର ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା, ଆଇପିଏସ୍‌ଙ୍କ ଅଧ୍ୟକ୍ଷତାରେ ବସି ନିରାପତ୍ତା ଦୃଷ୍ଟିରୁ ଅଧିକାଂଶ ସମୟରେ ବିଏସ୍‌ଏନ୍‌ଏଲ ନେଟୱର୍କ କାମ କରୁନଥିବା ଯୋଗୁଁ ତା ବଦଳରେ ଏୟାରଟେଲ କମ୍ପାନୀକୁ ସଚିବାଳୟର ସଂଯୋଗୀକରଣ ଦେବା ପାଇଁ ସ୍ଥିର କରାଯାଇଛି । ମାରେ ମାରେ ଭଣ୍ଡାରୀଆକୁ ମାର୍ ନୀତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସ୍‌ଏନ୍‌ଏଲ ନେଟୱର୍କକୁ ଉନ୍ନତତର ଓ କ୍ଷୀପ୍ର କରିବା ପରିବର୍ତ୍ତେ ଏହାର ସଂଯୋଗୀକରଣକୁ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରିବା ନିଷ୍ପତ୍ତି ଓଡ଼ିଶା ସରକାରଙ୍କର ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆଇଏଏସ୍‌ଙ୍କୁ ଏକ ପତ୍ର ଲେଖି ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ମୁଖ୍ୟ ସଚିବ ତୁରନ୍ତ ବିଏସ୍‌ଏନ୍‌ଏଲର ଉଚ୍ଚ ପଦାଧିକାରୀମାନଙ୍କର ଏକ ବୈଠକ ଡ଼ାକି ରାଜ୍ୟରେ ବିଏସ୍‌ଏନ୍‌ଏଲ୍ ନେଟୱର୍କର ଉନ୍ନତିକରଣ ପାଇଁ ପଦକ୍ଷେପ ନେବାକୁ ସେ ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଆଜି ଆଇଟି ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାଗସ୍ତରେ ଥିବାବେଳେ ଆବଶ୍ୟକ ପଡ଼ିଲେ ଓଡ଼ିଶା ସରକାର ଏ ଦିଗରେ ମାନ୍ୟବର ମନ୍ତ୍ରୀଙ୍କ ମଧ୍ୟ ହସ୍ତକ୍ଷେପ ଲୋଡ଼ିବା ଉଚିତ୍ ବୋଲି ଶ୍ରୀ ବେହେରା କହିଛନ୍ତି । ଯଦି ସଚିବାଳୟରେ ଖୋଦ୍ ରାଜ୍ୟ ସରକାର ବିଏସ୍‌ଏନ୍‌ଏଲ୍ ଜାଗାରେ ଏୟାରଟେଲ ସଂଯୋଗୀକରଣ କରନ୍ତି, ଏହା ରାଜ୍ୟରେ ଘରୋଇକରଣକୁ ଧୀରେ ଧୀରେ ଉତ୍ସାହିତ କରିବ ଓ ସରକାରଙ୍କ ବିଭିନ୍ନ ବିଭାଗ ଏ ଦିଗରେ ଘରୋଇ କମ୍ପାନୀର ସଂଯୋଗୀକରଣ ପାଇଁ ଆଗଭର ହେବେ । ଫଳରେ ସରକାରୀ ଉଦ୍ୟୋଗ ଗୁଡ଼ିକ ରୁଗ୍‌ଣ ଓ ଦେବାଳିଆ ହୋଇ ଶେଷକୁ ଘରୋଇ କମ୍ପାନୀ ମାଲିକାନାକୁ ଚାଲିଯିବ । ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସରକାର ସ୍ୱରାଷ୍ଟ୍ର ବିଭାଗର ଏହି ଘରୋଇ କମ୍ପାନୀ ତୃଷ୍ଟିକରଣ ନୀତି ପ୍ରତ୍ୟାହାର କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗକୁ ସୁଧାରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ