ସମ୍ପ୍ରତି ସରକାର ହିଁ କଳାକାର ସମାଜର ରକ୍ଷା କବଚ
ବ୍ରହ୍ମପୁର,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଲୋକକଳା ନିର୍ଦେଶକ ମାନଙ୍କ ସଙ୍ଗଠନ ମା କୂରେଈଶୁଣୀ ଲୋକକଳା ନିର୍ଦେଶକ ସଙ୍ଘର ଏକ ସାଙ୍ଗଠନିକ ବୈଠକ ବ୍ରହ୍ମପୁର ମହାନଗର ଉପକଣ୍ଠ ସ୍ତିତ ଗୋଳନ୍ଥରା ବିଶ୍ୱକର୍ମା ମନ୍ଦିର ପରିସରରେ ସଂଘ ସଭାପତି ଜି.ରାଜେନ୍ଦ୍ର ରେଡି ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସଂଘ ଉପଦେଷ୍ଠା ନାଟ୍ୟ ଗୌରବ ଡଃ ତିରୁପତି ସାହୁ ମୁଖ୍ୟ ଅତିଥି ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସମ୍ପାଦକ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭବରେ ଯୋଗଦେଇ ସଭିଏ ଏକ ପ୍ରାଣ ଓ ଏକ ମନ ନେଇ ସଂଘ ଶକ୍ତିକୁ ପରିପୁଷ୍ଟ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ | ଆଲୋଚନା ପ୍ରସଙ୍ଗରେ ସାମ୍ପ୍ରତିକ ସ୍ତିତିରେ ସରକାର କଳାକାର ସମାଜର ରକ୍ଷା କବଚ ସାଜିବା ନିତାନ୍ତ ପ୍ରୟୋଜନ ହୋଇପଡିଥିବା ମତ ସାବ୍ୟସ୍ତ ହୋଇଥିଲା | ସମଗ୍ର କଳାକାର ସମାଜର ଐକ୍ୟ କ୍ଷେତ୍ରରେ ସଂଘ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସହାୟତା କରିବ ବୋଲି ଉକ୍ତ ବୈଠକରେ ନିଷ୍ପତି ଗୃହୀତ ହୋଇଥିଲା | ସମ୍ପାଦକ ପ୍ରତାପ ପ୍ରଧାନଙ୍କ ସ୍ୱାଗତ ଭାଷଣ ପରେ ରାଜ୍ୟ ର ଦିବଙ୍ଗତ କଳାକାର ମାନଙ୍କର ଆତ୍ମାର ସଦଗତି ନିମନ୍ତେ ସର୍ବ ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ବୈଠକରେ ବୁଲୁ ସାହୁ,ପିଣ୍ଟୁ ମହାପାତ୍ର,ସଞ୍ଜୟ କୁମାର ରଣା,ଏସ ନରସିଂହ,ଶଙ୍କର୍ଷଣ ବେହେରା,ଭଗବାନ ସାହୁ,ବିନୟ ପ୍ରଧାନ,ଇଶ୍ୱର ଚନ୍ଦ୍ର ପଣ୍ଡିତ,ଡି ରାମେୟା,ରଞ୍ଜନ ବିଷୋୟୀ,ପ୍ରଦିପ ବେହେରା,ରଜତ କୁମାର ନାହାକ,ଏମ ମୋହନ,ସିମାଞ୍ଚଳ ଦାସ,ବିଜୁଳି ଦାସ ପ୍ରମୁଖ ନାଟ୍ୟ ଗୁରୁ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ | ପରିଶେଷରେ ସଙ୍ଗୀତ ନିର୍ଦେଶକ ରମେଶ ଚନ୍ଦ୍ର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ |


