ଗଣେଶ ପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି : କୋଭିଡ ମାର୍ଗଦର୍ଶିକା ଅନୁସାରେ ହେବ ଚଳିତ ବର୍ଷର ପୂଜା

ବାଲେଶ୍ୱର, (ସରୋଜ ପଣ୍ଡା ): ଆସନ୍ତା ଗଣେଶ ପୂଜା ଶାନ୍ତିଶୃଙ୍ଖଳାର ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଦଭାବନା ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତରିକ୍ତ ଜଲାପାଳ ନିଲୁ ମହାପାତ୍ର, ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୁଲିସ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କୋଭିଡ କଟକଣା ଓ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଜିଲାରେ ଚଳିତ ବର୍ଷ କିଭଳି ସୁରୁଖୁରୁରେ ଗଣେଶ ପୂଜା ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । କୋଭିଡ୍‌-୧୯ ସଂକ୍ରମଣ ଯେପରି ବ୍ୟାପିବ ନାହିଁ ତାହାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପୂଜା କମିଟି କର୍ମକର୍ତ୍ତାଙ୍କୁ କହିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଯେପରି ସମ୍ପୂର୍ଣ୍ଣ ଅନୁପାଳନ ହୋଇପାରିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ସରକାରୀ ମାର୍ଗଦର୍ଶିକାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ମାର୍ଗଦର୍ଶିକା ଅନୁଯାୟୀ ଚଳିତ ବର୍ଷ ମଣ୍ଡପରେ ପୂଜା ନିମନ୍ତେ ଆବଶ୍ୟକୀୟ ଅନୁମତି ପାଇଁ ଜିଲା ପ୍ରଶାସନ ନିକଟରେ ଆବେଦନ କରିବାକୁ ପଡିବ । ଗୃହ ଅଭ୍ୟନ୍ତର ଭଳି ପରିବେଶ (ଇଣ୍ଡୋର ଲାଇକ କଣ୍ଡିସନ)ରେ ପୂଜା ଆୟୋଜନ କରାଯିବାକୁ ଥିବା ବେଳେ କେବଳ ପୂଜା ନୀତିକାନ୍ତି ପାଇଁ ଅନୁମତି ଦିଆଯିବ । ଜନସାଧାରଣ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ ଏବଂ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ଏହା ପାଳନ କରାଯିବ । ପୂଜା ମଣ୍ଡପର ତିନି ପାଶ୍ୱର୍କୁ ସମ୍ପୂର୍ଣ୍ଣ ଓ ଗୋଟିଏ ପାଶ୍ୱର୍କୁ ଆଂଶିକ ଭାବେ ଆବୃତ କରାଯିବ ଯେଭଳି କି ଜନସାଧାରଣ ମୂର୍ତ୍ତି ଦର୍ଶନ କରିପାରିବେ ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ ରହିବ । ମାଇକ ଯୋଗେ ଘୋଷଣା କିମ୍ବା ଅନ୍ୟାନ୍ୟ ସାଉଣ୍ଡ ସିଷ୍ଟମ ବା ସ୍ପିକରର ବ୍ୟବହାର କରାଯାଇ ପାରିବ ନାହିଁ । ଯେ କୌଣସି ସମୟରେ ପୂଜାରୀ, କର୍ତ୍ତା ଏବଂ ଅନ୍ୟାନ୍ୟ କମିଟି ସଦସ୍ୟଙ୍କୁ ମିଶାଇ ୭ଜଣରୁ ଅଧିକ ବ୍ୟକ୍ତି ପୂଜା ମଣ୍ଡପରେ ରହିପାରିବେ ନାହିଁ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅନ୍ୟାନ୍ୟ କଟକଣାକୁ ମଧ୍ୟ ପୂଜା କମିଟିମାନଙ୍କୁ ମାନିବାକୁ ପଡିବ । ସେହିପରି ପୂଜା ପରେ କୌଣସି ପ୍ରକାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ନାହିଁ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା କୃତ୍ରିମ ଜଳାଶୟ/ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । କୌଣସି ଧାର୍ମିକ ଗୋଷ୍ଠୀ ଦ୍ୱାରା କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ଆୟୋଜନ ହୋଇପାରିବ ନାହିଁ । କୌଣସି ପ୍ରକାର ଗୀତ, ନାଚ କିମ୍ବା ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ । କୋଭିଡ୍ ଉପଯୁକ୍ତ ବ୍ୟବହାରର ପାଳନ ପୂର୍ବକ ସୀମିତ ସଂଖ୍ୟକ ଛାତ୍ରଙ୍କୁ ନେଇ ଶିକ୍ଷାନୁଷ୍ଠାନ ଗୁଡିକରେ ଗଣେଶ ପୂଜା ଆୟୋଜନ ନିମନ୍ତେ ଅନୁମତି ଦିଆଯାଇଛି । ପୂଜା ସାଙ୍ଗରେ କୌଣସି ପ୍ରକାର ଭୋଜିଭାତ ଆୟୋଜନ ପାଇଁ ଅନୁମତି ନାହିଁ । ଏହି ସବୁ ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗଣେଶ ପୂଜା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଅନୁମତି ଏକକ ଝରକା (ସିଙ୍ଗଲ ଓି୍ୱଣ୍ଡୋ) ମାଧ୍ୟମରେ ପ୍ରଦାନ କରାଯିବ । ବାଲେଶ୍ୱର ସହରରେ ପୂଜା ଅନୁମତି ପାଇଁ ବାଲେଶ୍ୱର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ପୂଜା କମିଟିମାନେ ଆବେଦନ କରିପାରିବେ । ସେହିପରି ବ୍ଲକ ସ୍ତରରେ ବିଡିଓଙ୍କ ନିକଟରେ ଏବଂ ସହରାଞ୍ଚଳରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ହେବ । ସେପ୍ଟେମ୍ବର ୧୦ତାରିଖ ଦିନ ଗଣେଶ ପୂଜା ପାଳନ ଯାୁଥିବା ଥିବା ବେଳେ ଆସନ୍ତା କାଲି(ସେପ୍ଟେମ୍ବର ୪) ତାରିଖ ଠାରୁ ସେପ୍ଟେମ୍ବର ୭ତାରିଖ ମଧ୍ୟରେ ପୂଜା କମିଟିମାନେ ବିଭିନ୍ନ ଅନୁମତିପତ୍ର ପାଇଁ ସିଙ୍ଗଲ ଓି୍ୱଣ୍ଡୋ ମାଧ୍ୟମରେ ଆବେଦନ କରିପାରିବେ । ଅନୁମତିପତ୍ର ପାଇଁ ଆବେଦନ କଲାବେଳେ ପୂଜା କମିଟି କର୍ମକର୍ତ୍ତାଙ୍କୁ ସରକାରୀ ମାର୍ଗଦର୍ଶିକାର କଡାକଡି ଅନୁପାଳନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ପଡିବ । ସରକାରୀ ନିୟମାବଳୀ ଏବଂ କୋଭିଡ୍ କଟକଣା କିଭଳି ପାଳନ ହୋଇପାରିବ ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ପୂଜା କମିଟିମାନେ ନେବେ । ସେହିଭଳି ସେପ୍ଟେମ୍ବର ୧୨ତାରିଖ ଦିନ ସକାଳ ୯ଘଟିକାରୁ ଅପରାହ୍ନ ୫ଘଟିକା ମଧ୍ୟରେ ମୂର୍ତ୍ତି ବିସର୍ଜନ ସମ୍ପନ୍ନ କରିବାକୁ ପୂଜା କମିଟିମାନଙ୍କୁ କୁହାଯାଇଛି । ସମସ୍ତ ନୀତି ନିୟମ ମଧ୍ୟରେ ରହି ଗଣେଶ ପୂଜା ପାଳନ ନିମନ୍ତେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ କମିଟିମାନଙ୍କୁ ପରାମର୍ଶ ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ