ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କର ପ୍ରଭାବିତ ହୋଇପାରେ “ପ୍ରେମ ଜୀବନ’

ନୂଆଦିଲ୍ଲୀ : ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ସମ୍ପର୍କରେ କରାଯାଇଥିବା ଗବେଷଣାରୁ ଏକ ନୂଆ ତଥ୍ୟ ମିଳିଛି । ନିୟମିତ ସମୟରେ ଜନ୍ମ ହେଉଥିବା ଶିଶୁ ଓ ସମୟ ପୂର୍ବରୁ ଜନ୍ମ ହୋଇଯାଉଥିବା ଶିଶୁଙ୍କ ଜୀବନରେ ଅନେକ ଅନ୍ତର ଥିବା ପ୍ରଥମ ଥର ଜଣାପଡ଼ିଛି । ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କ ଯୌନ ଜୀବନ ପ୍ରଭାବିତ ହେଉଥିବା ପ୍ରଥମ ଥର ଜଣାପଡିଛି ।
ଭାରତରେ ସମୟ ପୂର୍ବରୁ ଶିଶୁଙ୍କ ଜନ୍ମହାର ବିଶ୍ୱର ଅନ୍ୟ ଦେଶଙ୍କ ଅପେକ୍ଷା ଅଧିକ । ଶିଶୁ ମା’ ଗର୍ଭରେ ଅନ୍ୟୁନ ୩୭ ସପ୍ତାହ ରହିବା କଥା । ତେବେ ତା’ ପୂର୍ବରୁ ଜନ୍ମ ହେଉଥିବା ଅପରିପକ୍ୱ ଶିଶୁଙ୍କ ଜୀବନର ବିକାଶ ମଧ୍ୟ ଧିମେଇ ଯାଇଥାଏ । ଏଭଳି ୪୪ ଲକ୍ଷ ଶିଶୁଙ୍କ ଉପରେ କରାଯାଇଥିବା ଗବେଷଣାର ରିପୋର୍ଟ ଜାମା ନେଟୱାର୍କ ପତ୍ରିକାରେ ପ୍ରକାଶିତ ହୋଇଛି । ଯେଉଁଥିରେ ଏଭଳି ଶିଶୁଙ୍କ ରୋମାଣ୍ଟିକ ସମ୍ପର୍କ ସ୍ଥାପନା ସାଧାରଣ ସମୟରେ ଜନ୍ମିତ ଶିଶୁଙ୍କ ଅପେକ୍ଷା ୨୮ ପ୍ରତିଶତ କମ୍ ଥିବା ବେଳେ ବିବାହୋତ୍ତର ଶାରୀରିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଏମାନେ ୨୨ ପ୍ରତିଶତ କମ୍ ବୋଲି ଜଣାପଡ଼ିଛି । ଏଣୁ ଏଭଳି ଶିଶୁ ବଡ଼ ହୋଇ ପିତାମାତା ହେବାର ସମ୍ଭାବନା ମଧ୍ୟ ୨୨ ପ୍ରତିଶତ କମ୍ ବୋଲି ରିପୋର୍ଟରୁ ଜଣାଯାଏ । ରିପୋର୍ଟ ଅନୁସାରେ ଏଭଳି ପିଲାମାନେ ସ୍ୱଭାବରେ ଲାଜକୁଳା ହୋଇଥିବା ବେଳେ ଏକାନ୍ତ ରହିବାକୁ ଅଧିକ ପସନ୍ଦ କରନ୍ତି । ସେହିପରି କୈଶୋରାବସ୍ଥାରେ ମଧ୍ୟ ଏମାନେ ସ୍ୱାଭାବିକ ସମୟରେ ଜନ୍ମ ହୋଇଥିବା ଶିଶୁଙ୍କ ଭଳି ଅଧିକ ରିସ୍କ ନେବାକୁ ଆଗ୍ରହୀ ହୋଇ ନଥାନ୍ତି । ଏଣୁ ଏଭଳି ପିଲାଙ୍କୁ ସେମାନଙ୍କ ଅଭିଭାବକ ଶୈଶବାବସ୍ଥାରୁ ସାମାଜିକ ସମ୍ପର୍କ ରକ୍ଷା ଲାଗି ପ୍ରୋତ୍ସାହିତ କରିବା ଆବଶ୍ୟକ । ନଚେତ କିଶୋର ବୟସରେ ସେମାନେ ସମାଜରୁ ଦୂରେଇ ଯିବା ଭଳି ପରିସ୍ଥିତି ଉପୁଜିପାରେ । ସମୟ ପୂର୍ବରୁ ଜନ୍ମିତ ଶିଶୁ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ଦ୍ରୁତ ବିକାଶ ହାସଲ କରିପାରିନଥାନ୍ତି । ଏମାନେ ସହଜରେ ଜୀବନର ଆହ୍ୱାନକୁ ସମ୍ମୁଖୀନ ହୋଇ ପାରନ୍ତିନି । ଏଣୁ ସେମାନଙ୍କ ଯୌନ ଜୀବନ ମଧ୍ୟ ପ୍ରଭାବିତ ହୁଏ ବୋଲି ମନ ଚିକିତ୍ସକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ