ଆମ୍ୱୋ – ସମଣା ରାଘବପୁର- ବଳିପୂର ଅସମ୍ପୂର୍ଣ୍ଣ ନଦୀବନ୍ଧକୁ ସମ୍ପୁର୍ଣ୍ଣ କରିବାକୁ ଦେଲେ ପ୍ରତିଶୃତି
ହାଟଡ଼ିହି, (ବିକାଶ ବିଶ୍ୱାଳ):ବର୍ଷାଋତୁ ଆସିଲେ ଚିନ୍ତା ବଢ଼ାଏ ଅସମ୍ପୂର୍ଣ୍ଣ ନଦୀବନ୍ଧ। ଏନେଇ ଆଶଙ୍କାରେ ରହିଥାନ୍ତି ୨୦ରୁ ଉର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀ। ଅସମ୍ପୁର୍ଣ୍ଣ ନଦୀବନ୍ଧ ପାଇଁ ଦୁଃଖ ଭୋଗୁଛନ୍ତି ଲୋକେ। ବୈତରଣୀ ନଦୀରେ ବନ୍ୟା ଆସିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରାଘବପୁର ଗାଁର ଲୋକଙ୍କ ମନରେ ଛନକା ପସେ। ୨ଟି ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବ ଗାଁର ୫ହଜାରରୁ ଉର୍ଦ୍ଧ୍ବ ଲୋକେ ଜଳବନ୍ଦୀ ଜୀବନ ବିତାନ୍ତି। ଦୀର୍ଘ ୭ବର୍ଷ ଧରି ଅସମ୍ପୁର୍ଣ୍ଣ ଥିବା ନଦୀବନ୍ଧ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି। ୨୦୧୭ ମସିହାରୁ ହାବଳେଶ୍ୱର ନିକଟରୁ ନଦୀବନ୍ଧ ଆସି ବେଲେଇ ନାଳ ପାଖରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଏହା ଏବେ ଗାଁ ପାଇଁ ବିପଦ ସୃଷ୍ଟି କରିଛି। ବର୍ଷାଦିନେ ବୈତରଣୀ ନଦୀର ବନ୍ୟାଜଳ ଏହିବାଟ ଦେଇ ଗାଁରେ ପସି ବ୍ୟାପକ କ୍ଷୟକ୍ଷତି କରିଥାଏ। ଲୋକମାନେ ଦୀର୍ଘ ଦିନ ଜଳବନ୍ଦୀ ଜୀବନ ବିତାନ୍ତି। ଏ ଅଞ୍ଚଳର ଲୋକମାନେ ଚାଷ ଉପରେ ନିର୍ଭର ଶୀଳ ଥିବାବେଳେ ବିଶେଷ କରି ଧାନ ଓ ପନିପରିବା ଚାଷ କରିଥାନ୍ତି। ପ୍ରତିବର୍ଷ ବନ୍ୟା ଆସିବା ଯୋଗୁଁ ଶହ ଶହ ଏକର ଚାଷଜମି ବାଲିଚର ହୋଇଯାଉ ଥିବାରୁ ଚାଷୀମାନେ ନାନା ସମସ୍ୟା ଭୋଗ କରୁଛନ୍ତି। କେବଳ ରାଘବପୁର ଗାଁ ନୁହେଁ, ଆଇତିପୁର ଓ ଗେଡମା ପଞ୍ଚାୟତର ରାଘବପୁର, ଆଇତିପୁର, ରତକଣା, ନୂଆଗାଁ, ମଦରଙ୍ଗା, ଅମୃତପୁର, ମଧୁପୁର, ଗେଡମା, ଜଳସରପୁର, ସାହାପୁର, କମେଶ୍ୱରପୁର ଆଦି ୧୦ରୁ ଉର୍ଦ୍ଧ୍ବ ଗାଁର ୫ହଜାରରୁ ଉର୍ଦ୍ଧ୍ବ ଲୋକେ ଅସମ୍ପୁର୍ଣ୍ଣ ନଦୀବନ୍ଧ ପାଇଁ ବର୍ଷା ଦିନେ ଅସୁରକ୍ଷିତ ହୋଇ ପଡନ୍ତି । ଏହିସବୁ ଗାଁ ବର୍ଷାଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହେ। ଲୋକଙ୍କ ଘରେ ପାଣି ପସିଯିବା ସହ, ଘରେ ଥିବା ଧାନ ଚାଉଳ ସବୁ ନଷ୍ଟ ହୁଏ। ଅନେକ ଗ୍ରାମ ପାଣିଘେରରେ ରହୁଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯାଇ ପାରି ନଥାନ୍ତି। ରୋଗୀ ମାନଙ୍କୁ ଡାକ୍ତରଖାନା ନିଆଯାଇ ପାରେ ନାହିଁ।ଏନେଇ ଅଞ୍ଚଳବାସୀ ଙ୍କ ପକ୍ଷରୁ ବହୁବାର ଦାବି କରାଯାଉଥିଲେ ମଧ୍ୟ ଜଳସମ୍ପଦ ବିଭାଗ କିମ୍ବା ପ୍ରଶାସନ ନଦୀବନ୍ଧ ସମ୍ପୂର୍ଣ୍ଣ କରିବା ଦିଗରେ ଦୃଷ୍ଟି ଦେଉ ନାହାନ୍ତି। ଅନେକ ଥର ଆସି ସର୍ଭେ ଓ ମାପଚୁପ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ସେହିପରି ଆମ୍ୱୋ ଠାରୁ ସମଣା ପର୍ଯ୍ୟନ୍ତ ନଦୀବନ୍ଧ ସମ୍ପୂର୍ଣ୍ଣ ହୋଇ ନଥିବାରୁ ପ୍ରତିବର୍ଷ ବନ୍ୟା ଆସି ଅନେକ କ୍ଷୟକ୍ଷତି ଘଟାଇ ଥାଏ। ଏ ଅଞ୍ଚଳର ସମଣା, ବହାରିପୂର୍, ଚାପୁଣ୍ଡିଆ, ଗୋବିନ୍ଦପୁର, କୋଦମଡିହି, କରଗୋଳା, ବରାଙ୍ଗ, ଦୁଡୁଗାଁ, ଅଣତିରା, ଆଦି ଅନେକଗୁଡ଼ିଏ ଗ୍ରାମ ଜଳ ପ୍ଲାବିତ ହୋଇଥାଏ। ଏନେଇ ବାରମ୍ଵାର ଅଭିଯୋଗ ହୋଇ ଆସୁଥିଲେ ବି ପ୍ରଶାସନ ସେପରି କୌଣସି ପଦକ୍ଷେପ ନେଉ ନାହିଁ। E ସମ୍ପର୍କ ରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ଅଣ ତାରକା ପ୍ରଶ୍ନର ଉତ୍ତରରେ ମୂଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବୈତରଣୀ ଜଳସମ୍ପଦ ବିଭାଗ ଅଧୀନରେ ବୈତରଣୀ ନଦୀର ବାମ ପାର୍ଶ୍ଵର ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ୭.୧୩୦ କି.ମି. ଏବଂ ରାଘବପୁର ଠାରୁ ବାଲିପୁର ପର୍ଯ୍ୟନ୍ତ ୩.୫୦୦ କି.ମି. ନଦୀ ବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି ବୋଲି ମୂଖ୍ୟମନ୍ତ୍ରୀ ସୁଚନା ଦେଇଛନ୍ତି। ଆମ୍ବୋ ଠାରୁ ସମଣା ନଦୀ ବନ୍ଧ କାର୍ଯ୍ୟ ନିମନ୍ତେ ଜମି ଅଗ୍ରହଣରେ ବିଳମ୍ବ ହେଉଥିବାରୁ କାର୍ଯ୍ୟ କରାଯାଇନାହିଁ । ବର୍ତ୍ତମାନ ହାଟଡ଼ିହି ତହସିଲ ଅନ୍ତର୍ଗତ ଆମ୍ବୋ, ସମଣା, ଗିରିଗାଁ ଏବଂ କରଗୋଳ ଗ୍ରାମର ୨୮.୬୯୦ ଏକର ଜମିର ଅଧୂଗ୍ରହଣ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ଅଛି । ଏହି ନଦୀ ବନ୍ଧ କାର୍ଯ୍ୟ ନିମନ୍ତେ ୧୫୩୮.୦୦ ଲକ୍ଷ ଟଙ୍କା ବ୍ୟୟ ଅଟକଳର ଏକ ଡିପିଆର ପ୍ରସ୍ତୁତି କରାଯାଇ, ବୈଷୟିକ ଉପଦେଷ୍ଟା କମିଟିକୁ ଅନୁମୋଦନ ପାଇଁ ପ୍ରେରଣ କରାଯାଇଅଛି । ଅନୁମୋଦନ ପରେ ଏହି କାର୍ଯ୍ୟଟିକୁ ୨୦୨୪-୨୫ ଆର୍ଥିକ ବର୍ଷରେ ହାତକୁ ନିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି ବୋଲି ସୁଚନା ଦେଇଛନ୍ତି। ସେହିପରି ରାଘବପୁର ଠାରୁ ବଳିପୁର ନଦୀ ବନ୍ଧ କାର୍ଯ୍ୟ ନିମନ୍ତେ ୮୯୬.୦୦ ଲକ୍ଷ ଟଙ୍କାର ଏକ ପ୍ରସ୍ତାବ ୧୩୪ ନଂ ବୈଷୟିକ ଉପଦେଷ୍ଟା କମିଟିରେ ଅନୁମୋଦିତ ହୋଇଅଛି । ଆବଶ୍ୟକୀୟ ଅନୁମୋଦନ ପାଣ୍ଠି ବ୍ୟବସ୍ଥା ପରେ ଏହି କାର୍ଯ୍ୟଟିକୁ ୨୦୨୫-୨୬ ଆର୍ଥିକ ବର୍ଷରେ ହାତକୁ ନିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି ବୋଲି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଉତ୍ତରରେ ସୂଚାଇଛନ୍ତି।


