ସରକାର ଙ୍କ ପିଏମ କେୟାର୍ସ ଯୋଜନା ରେ ସାମିଲ ହେଲେ ଯାଜପୁର ଜିଲ୍ଲା ର ଚାରି ପିଲା
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-କୋଭିଡ ସଂକ୍ରମଣ ଓ ତଦ୍ ଜନିତ ପ୍ରଭାବରୁ ଯାଜପୁର ଜିଲ୍ଲା ରେ ୪ ଜଣ ନାବାଳକ ଓ ପିତୃ ମାତୃ ହୀନ ଶିଶୁ ଚିହ୍ନଟ ହୋଇଥିଲେ । ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପି ଏମ୍ କେୟାର୍ସ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ , ଶିକ୍ଷା ଓ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ର ବ୍ୟବସ୍ଥା କରାଯାଇଛି । ସୋମବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର କନଫରେନ୍ସ ହଲରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେବା ସହ ୪ ଜଣ ପିଲାଙ୍କୁ ୧୦ ଲକ୍ଷ ଟଙ୍କା ର ପି ଏମ୍ କେୟାର୍ସ ପାଶ୍ ବୁକ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପତ୍ର, ସାର୍ଟିଫିକେଟ ବା ସ୍ନେହ ପତ୍ର,ଓ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ । ପିଲା ମାନଙ୍କୁ ୧୮ ବର୍ଷ ହେବା ପରେ ଏହି ପାଣ୍ଠି ର ଉପଯୋଗ କରିପାରିବେ ଓ ୨୩ ବର୍ଷ ପରେ ଏହି ପାଣ୍ଠି ର ପୂର୍ଣ୍ଣ ସହାୟତା ଗ୍ରହଣ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ । ଉକ୍ତ ପିଲା ମାନେ ଆଶୀର୍ବାଦ ଯୋଜନା,ପୃଷ୍ଠପୋଷାକତା ଓ ମଧୁବାବୁ ଯୋଜନା ଆଦିରେ ସାମିଲ କରା ଯାଇଅଛି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୨୩ ବର୍ଷ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ବୀମା ର ସୁବିଧା ପାଇପାରିବେ।ବୀମା ରେ ପ୍ରିମିୟମ ରାଶି ପି ଏମ କେୟାର୍ସ୍ ବହନ କରିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ମିଳିବ । ସରକାର ଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଉକ୍ତ ପିଲାମାନଙ୍କୁ ୫୦ ହଜାର ଟଙ୍କା ର ଅର୍ଥରାଶି ଜିଲ୍ଲା ପ୍ରଶାସନ ପ୍ରଦାନ କରିଛନ୍ତି । ଉଚ୍ଚ ଶିକ୍ଷା ରେ ନାମ ଲେଖାଇଲେ ପିଲାମାନେ ନିଶୁଳ୍କ ଋଣ ପାଇ ପାରିବେ । ପିତୃ ମାତୃ ହୀନ ଶିଶୁ ଙ୍କ ବ୍ୟତୀତ ଆହୁରି ୬୬ଜଣ ଶିଶୁ ବିଭିନ୍ନ କାରଣରୁ ଏହି ସମୟ ମଧ୍ୟରେ ପିତାମାତା ଙ୍କୁ ହରାଇଛନ୍ତି। ୭୩ ଜଣ ଶିଶୁ ଜଣେ ଅଭିଭାବକ ଯିଏକି ପରିବାର ର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି ତାଙ୍କୁ ହରାଇଛନ୍ତି ବୋଲି ସୂଚନା ଦେଇ ଏହି ସମସ୍ତ ପିଲାଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଉଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସୂଚନା ଦେଇଥିଲେ । ଏହି ଯୋଜନା ଅନ୍ତର୍ଗତ ସେମାନଙ୍କୁ ସିଧାସଳଖ ମାସିକ ଆର୍ଥିକ ସହାୟତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାରିବାରିକ ସମୃଦ୍ଧି କୁ ପ୍ରାଧାନ୍ୟ ଦିଆଯାଉଛି । ଜିଲ୍ଲା ରେ ବର୍ତ୍ତମାନ ୧୪୧୬ ପିଲା ଆଶୀର୍ବାଦ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଶିଘ୍ର ସହାୟତା ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମଲ୍ଲିକ କହିଛନ୍ତି । ପ୍ରାରମ୍ଭରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପିତାମାତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି କହିବା ସହ ପିତୃ ମାତୃ ହୀନ ପିଲା ମାନଙ୍କୁ ଆଗକୁ ବଢିବା ଓ ଭବିଷ୍ୟତ ସୁରକ୍ଷା ରଖିବା ପାଇଁ ପି ଏମ୍ କେୟାର୍ସ ସହାୟତା କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମରେ ଶିଶୁ ମଂଗଳ କମିଟି ଅଧ୍ୟକ୍ଷ ରିତା ବେହେରା ,ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି , ଶୁଭ୍ରାଂଶୁ ଶେଖର ରାୟ,କିଶୋର ନ୍ୟାୟ ପରିଷଦ ର ସଦସ୍ୟ ସୂର୍ଯ୍ୟ ନାରାୟାଣ ମିଶ୍ର ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ ,ଅତିରିକ୍ତ ମଣ୍ଡଳ ଶିକ୍ଷ୍ୟା ଅଧିକାରୀ ନିର୍ମଳ ଚନ୍ଦ୍ର ଜେନା, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଅଧିକାରୀ ସୁଧାଂଶୁ ମୋହନ ଶତପଥୀ ଶିଶୁ ସୁରକ୍ଷା ୟୁନିଟ ର ତପନ କୁମାର ପଣ୍ଡା, କାଳି ପ୍ରସାଦ ସାହୁ , ଶିଶିର କୁମାର ମଲ୍ଲିକ , ଦୀପକ କୁମାର ସାହୁ ଓ ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ ।


