ସାଧାରଣ ରୋଗୀଙ୍କୁ ଡ଼ାକ୍ତର ଦେଖୁନାହାନ୍ତି କି ଦୋକାନୀ ଔଷଧ ଦେଉନାହିଁ ଔଷଧ ପାଇଁ ଚିନ୍ତିତ ରୋଗୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ଅଂଚଳବାସୀ ଏବେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଂଚିତ । କରୋନା ସଂକ୍ରମଣ ଏଡ଼ାଇବାକୁ ଏବଂ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ୨ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣ ଭୟରେ ଗୋଟିଏ ପଟେ ହିଞ୍ଜିଳିକାଟୁ ଉପକଣ୍ଡ ଚିକିତ୍ସାଳୟରେ ଓପିଡ଼ି ସେବା ବନ୍ଦ କରି ଦିଆଯାଇଛି । ତେବେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଔଷଧ ଦୋକାନ ଗୁଡ଼ିକରେ ଥଣ୍ଡା ଓ ଜ୍ୱର ଔଷଧ ସହଜରେ ମିଳୁନଥିବା ଅଭିଯୋଗ ହେଉଛି । ପ୍ରଶାସନ ପକ୍ଷରୁ ଟେଲି ମେଡ଼ିସିନ ସେବା ମଧ୍ୟ ଆରମ୍ଭ କରାଯାଇଛି । ପ୍ରେସ୍‌କିସନ ଦେଖାଇଲେ ହିଁ ଥଣ୍ଡା ଓ ଜ୍ୱର ରୋଗ ପାଇଁ ଔଷଧ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଅନ୍ୟାନ ସାଧାରଣ ରୋଗ ପାଇଁ ବିନା ପ୍ରେସ୍‌କିସରେ ଔଷଧ ବିକ୍ରି କରାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗୁଜବକୁ ବିଶ୍ୱାସ ନକରିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । କରେନା ମୁକାବିଲା ଅଭିଯାନରେ ସ୍ଥାନୀୟ ଅଂଚଳର କିଛି ଚିକିତ୍ସକ (ଏମବିବିଏସ ଓ ଆୟୁଷ), ନର୍ସ, ପାରା ମେଡ଼ିକାଲ ଷ୍ଟାଫ୍ ନିୟୋଜିତ ରହିଛନ୍ତି । ମାନବ ସମ୍ବଳ ଆବଶ୍ୟକତା ପୁରଣ କରିବାକୁ ଅନ୍ୟ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ଡ଼ାକ୍ତର, ଲ୍ୟାବ୍‌, ଟେକ୍ନିସିଆନ, ଆମ୍ବେୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାର ୨ ଆର‌୍ୟୁବେଦିକ ଓ ହୋମାଓପାଥି ମେଡ଼ିକାଲ କଲେଜରେ ଛାତ୍ରଛାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏଭଳି କ୍ଷେତ୍ରରେ ସାଧାରଣ ରୋଗୀ ଯେମିତି ଅଛୁଆଁ ହୋଇ ପଡ଼ିଛନ୍ତି । ଗତ କିଛି ଦିନ ପୂର୍ବେ ବ୍ରହ୍ମପୁର ସହରର ଗଣେ ରୋଗୀ ଚିକିତ୍ସା ସକାଶେ ରାଜଧାନୀ ଭୂବନେଶ୍ୱରର ୩ଟି ବଡ଼ ବଡ଼ ମେଡ଼ିକାଲରେ ଚିକିତ୍ସା ସକାଶେ ଭର୍ତି ହେବା ପାଇଁ ଯାଇଥିବା ବେଳେ ଚିକିତ୍ସା କରିବାକୁ ମନା କରିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ଏବଂ ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏଭଳି ଦୁର୍ଦ୍ଦିନ ସମୟରେ ବହୁ କଟକଣା ଯୋଗୁଁ ସାଧାରଣ ରୋଗୀ ଡ଼ାକ୍ତରଖାନାକୁ ଯାଇପାରୁ ନାହାନ୍ତି । ଚିକିିତ୍ସା ସକାଶେ ଅନଲାଇନ କିମ୍ବା ଫୋନ ମାଧ୍ୟମରେ ଡ଼ାକ୍ତରଙ୍କ ଠାରୁ ପରାମର୍ଶ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ପରମର୍ଶ ଦିଆଯାଇଛି । ଉକ୍ତ ନମ୍ବରରେ ଫୋନ କଲେ କେହି ଫୋନ ଉଠାଉନଥିବା ନେଇ ବହୁ ରୋଗୀ ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଗ୍ରାମାଂଚଳ କ୍ଷେତ୍ରରେ ଏହା ସହଜସାଧ୍ୟ ହେଉନଥିବା ଅଭିଯୋଗ ହେଉଛି । ଏପରିକି ବହୁ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ନିୟମିତ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ସ୍ଥାନୀୟ ପୌରାଂଚଳର ଜଣେ ପ୍ରାଇଭେଟ କ୍ଳିନିକ୍ କରିଥିବା ଚିକିତ୍ସକଙ୍କ ମୃତ୍ୟୁ ପରେ ସ୍ଥାନୀୟ ପୌରାଂଚଳ ସମେତ ଗ୍ରାମାଂଚଳରେ କ୍ଳିନିକ୍ କରିଥିବା ବହୁ ଡ଼ାକ୍ତର ଓ ଗ୍ରାମାଂଚଳର ବହୁ କ୍ୱାକ୍ କରୋନା ସଂକ୍ରମଣ ଭୟରେ ଚିକିତ୍ସା ସେବା ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ଷାଋତୁ ଆସିଥିବାରୁ ଲୋକଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର ରୋଗର ଲକ୍ଷଣ ଦେଖିବାକୁ ମିଳୁଛି । ପ୍ରଶାସନର କଡ଼ା ତାଗିଦ୍ ଯୋଗୁଁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଏଭଳି ରୋଗ ପାଇଁ ବିନା ପ୍ରେସ୍‌କିସନରେ ଔଷଧ ଦୋକାନୀ ମନେ ଔଷଧ ଦେବା ପାଇଁ ରୋକ୍ ଠୋକ୍ ମନା କରୁଥିବାର ଦେଖିବାକୁ ମିଳୁଛି । କିଛି ଔଷଧ ଦୋକାନୀ ଔଷଧ ନଥିବାର ବାହାନା କରୁଛନ୍ତି ତ ଆଉ କିଛି ଔଷଧ ଦୋକାନୀ ପ୍ରେସକିସନ ଆଣିଲେ ହିଁ ଔଷଧ ଦିଆଯିବ ବୋଲି କହୁଛନ୍ତି । ଫଳରେ ଥଣ୍ଡା, ଜ୍ୱା ଓ କାଶରେ ଆକ୍ରାନ୍ତ ସାଧାରଣ ରୋଗୀଟି ସାମାନ୍ୟ ଔଷଧ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ପ୍ରଶାସନ ଦୃଷ୍ଟି ଦେଇ ସାଧାରଣ ରୋଗୀଙ୍କ ଚିକିତ୍ସା ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଉମା ଶଙ୍କର ମିଶ୍ରଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସିସ ଉତର ମିଳି ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ