ଟମାଟ ଦର ସେଂଚୁରୀ ଛୁଇଁବା ଆଶଙ୍କା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପ୍ରଚୁର ପରିମାଣରେ ପନିପରିବା ଅମଳ କରାଯାଇ ଜିଲ୍ଲା ସମେତ ବାହାର ଜିଲ୍ଲାକୁ ରପ୍ତାନି କରାଯାଉଥିବା ବେଳେ ବର୍ତମାନ ହିଞ୍ଜିଳିକାଟୁ ସହରରେ ଟମାଟ ଦର ୭୦ ଟଙ୍କା ରହିଛି । ଆଗାମୀ ଦିନରେ ଟମାଟ ଦର କିଲୋ ପିଛା ସେଂଚୁରି ଛୁଇଁବାର ସମ୍ଭାବନା ରହିଛି । ସ୍ଥାନୀୟ ଅଂଚଳରେ ଗତ କିଛି ଦିନ ହେଲା ଟମାଟ ଦର ହୁ ହୁ ହୋଇ ବଢିଚାଲିଛି । କରୋନା ନିୟନ୍ତ୍ରଣ ପାଇଁ ଲକଡ଼ାଉନ, ସଟଡ଼ାଉନ ଜାରି ରହିଥିବା ବେଳେ ଅନ୍ୟପଟେ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଳୁ, ପିଆଜ ଭଳି ବର୍ତମାନ ସ୍ଥିତିରେ ଟମାଟ ମଧ୍ୟ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ହୋଇପଡ଼ିଛି । ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ରୋଷେଇ ସମୟରେ ସେଥିରେ ଟମାଟ ନପଡ଼ିଲେ ପାଟିକୁ ରୁଚୁନି । କିନ୍ତୁ ଟମାଟର ଦର ବୃଦ୍ଧି ପାଇଥିବାରୁ ଲୋକେ କିଣିବାକୁ ଟିକିଏ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି । ଗୁନ ମାସରେ ଟମାଟ ଦର ୨୦ ଟଙ୍କା ରହିଥିବା ବେଳେ ବର୍ତମାନ ଦର ୭୦ ଟଙ୍କାରେ ପଂଚିଛି । ଆଗାମୀ ଦିନରେ ଦର ସେଂଚୁରି ଛୁଇଁବାର ସମ୍ଭାବନା ରହିଛି ବୋଲି କିଛି ବ୍ୟବସାୟୀ କହିଛନ୍ତି । ବର୍ତମାନ ସମୟରେ ସ୍ଥାନୀୟ ଅଂଚଳରେ ଟମାଟ ଅମଳ କରାଯାଉନଥିବାରୁ ବେଙ୍ଗାଲୁରୁ ଟମାଟ ଆସୁଛି । ଲକଡ଼ାଉନ ଯୋଗୁଁ ପରିବହନ ଖର୍ଚ୍ଚ ଅଧିକ ପଡ଼ୁଥିବାରୁ ଦର ବୃଦ୍ଧି ହେଉଥିବା ନେଇ ସ୍ଥାନୀୟ ଅଂଚଳର କିଛଇ ବ୍ୟବସାୟୀ କହିଛନ୍ତି । ୨୨ କିଲୋ ଭର୍ତି ଟମାଟ ପେଟିର ମୁଲ୍ୟ ୧୪୫୦ ଟଙ୍କାରେ କିଣିବାକୁ ପଡ଼ୁଛି । ସେଥିରେ କିଛି ନଷ୍ଟ ହେଉଛି । ଦର ପିଛା ୭୦ ଟଙ୍କାରେ ବିକ୍ରି କଲେ କିଲୋ ପିଛା ଲାଭ ମାତ୍ର ୨ଟଙ୍କା ମିଳୁଥିବା ବ୍ୟବସାୟୀ ମାନେ କହିଛନ୍ତି ।


