ସାବାସ ଯୁବ ବାହିନୀ
ଭବାନୀପାଟଣା: କରୋନା ମହାମାରୀ ଯୋଗୁଁ ସାରାଦେଶରେ ତାଲାବନ୍ଦ ଗରୀବ ଲୋକଙ୍କୁ ପ୍ରଭାବିତ କରିଛି । କରୋନା ଭଳି ମହାମାରୀ ରୁ ରକ୍ଷା ପାଇବା ପାଇଁ ଓଡ଼ିଶା ସରକାର ଆଗୁଆ ନିଷ୍ପତ୍ତି ନେଇ ଓଡିଶାରେ ତାଲା ବନ୍ଦ ସମୟକୁ ଆହୁରି ୧୫ ଦିନ ବୃଦ୍ଧି କରିଛନ୍ତି । ଏହି ଘଡିସନ୍ଧି ମୂହୁର୍ତ୍ତରେ ଭବାନୀପାଟଣା ମ୍ୟୁନିସିପାଲିଟି ର ବିଜୁ ଯୁବ ବାହିନୀ ର ସ୍ବେଚ୍ଛାସେବୀ ମାନେ ଭବାନୀପାଟଣା ସହର ସ୍ଥିତ ଓ୍ବାର୍ଡ ନଂ ୨ ସିତାବୋରଡି ପଡା ବସ୍ତିବାସିନ୍ଦା ଙ୍କୁ ସୁଖିଲା ରାସନ ସାମଗ୍ରୀ ବଣ୍ଟନ କରିବା ସହ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି । କରୋନା ମହାମାରୀ ଯୋଗୁଁ ହୋଇଥିବା ଲକ୍ ଡାଉନ୍ ପାଇଁ ଅନେକ ଗରୀବ ପରିବାର ଦି’ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ମ୍ୟୁନିସିପାଲିଟି ପ୍ରଶାସନ ସେମାନଙ୍କୁ ସ୍ବଳ୍ପ ପରିମାଣ ରେ ଚାଉଳ ଓ ଡାଲି ଯୋଗାଉଥିବା ବେଳେ ବିଜୁ ଯୁବ ବାହିନୀ ଆଗେଇ ଆସି ଲୋକମାନଙ୍କୁ ୧କିଗ୍ରା ଚାଉଳ,୧ କିଗ୍ରା ଆଳୁ, ଲୁଣ, ଡାଲି, ବିସ୍କେଟ, ସାବୁନ ଭଳି ସୁଖିଲା ରାସନ ସାମଗ୍ରୀ ଯୋଗାଇଛନ୍ତି । ଏହାସହିତ ସ୍ଥାନୀୟ ବାସିନ୍ଦାଙ୍କୁ ସାମାଜିକ ଦୂରତ୍ୱ ରଖିବା ଓ ବ୍ୟକ୍ତିଗତ ସ୍ବଚ୍ଛତା ରଖି ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ସଚେତନ କରାଇଥିଲେ । ସରକାର ଙ୍କ ନିର୍ଦ୍ଦେଶ କୁ ପାଳନ କରି ଘରେ ଘରେ ରହିବା ପାଇଁ ଅନୁରୋଧ କରିଥିଲେ । ମହାମାରୀ ସମୟରେ ସ୍ବେଚ୍ଛାସେବୀ ମାନେ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ର ହାତ ବଢାଉଥିବାରୁ ସ୍ଥାନୀୟ ଲୋକେ ସାବାସ ଯୁବ ବାହିନୀ ବୋଲି କହୁଛନ୍ତି । ଏହି ମାନବଧର୍ମୀ କାର୍ଯ୍ୟକ୍ରମ ରେ ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା, ମହମ୍ମଦ ମୋସିମ, କିର୍ତିକେଶ୍ବର ସାମଲ, ବାପଙ୍ଗୀ ପ୍ରଧାନ, ଅମିତ ଯାଦବ ପ୍ରମୁଖ ସାମିଲ ହୋଇଥିଲେ ।


