ସୁରକ୍ଷା ଲୋଡୁଛି ଦୟା : ବ୍ରିଜ୍ ପାଶ୍ୱର୍ରେ ତାରଜାଲିର ବାଡ଼ ତିଆରି ପାଇଁ ଦାବୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଇତିହାସ କୁହେ ପ୍ରତିଟି ସଭ୍ୟତାର ମୂଳ ଆଧାର ହେଉଛି ନଦୀ । ଯେଉଁ ଦେଶ ଓ ରାଜ୍ୟ ଦେଇ ନଦୀଟି ବହି ଯାଇଥାଏ ସମ୍ପୃକ୍ତ ଅଞ୍ଚଳର ତାହା ଜୀବନରେଖା ପାଲଟିଥାଏ । ଏବେ କିନ୍ତୁ ତାହା ବିପଦରେଖା ପାଲଟି ଯାଇଛି । ଏବେ ଦେଖିବାକୁ ମିଳୁଛି ଲୋକେ ରାତି ପାହିଲେ ବ୍ରିଜ୍ ଉପରୁ ନଦୀ ଗର୍ଭକୁ ଫିଙ୍ଗି ଚାଲିଛନ୍ତି ବର୍ଜ୍ୟବସ୍ତୁ । ମଲା ଲୋକର ପ୍ୟାଣ୍ଟ୍, ସାର୍ଟ, ଗନ୍ଥା, ତକିଆ, ମୃତଲୋକର ବ୍ୟବହୃତ ବଳକା ମେଡ଼ିସିନ୍ ଠାରୁ ଆରମ୍ଭ କରି ପୂଜା, କର୍ମକାଣ୍ଡ ପରେ ବାହାରୁଥିବା ବର୍ଜ୍ୟକୁ ବି ଲୋକେ ନିର୍ଭୟରେ ଫିଙ୍ଗି ଆତ୍ମଶୁଦ୍ଧିର ବାହାନା ଦେଖାଉଛନ୍ତି । ନଦୀକୂଳରେ ଦେଖିବାକୁ ମିଳୁଛି କୁଢ କୁଢ ଆବର୍ଜନା । ପାଣିର ରଙ୍ଗ କଳା ପଡ଼ିଗଲାଣି । ସଂପ୍ରତି ମଣିଷ ଠାରୁ ନଦୀ ସୁରକ୍ଷା ଲୋଡ଼ୁଛି । ଏ ହେଉଛି ଆମ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦେଇ ବହି ଯାଇଥିବା ଦୟା ନଦୀର କଥା । ନଦୀ ଭିତରେ ଆବର୍ଜନାକୁ ନେଇ ପରିବେଶବିତ୍ ସୁଶାନ୍ତ ସାହୁ ଚିନ୍ତା ପ୍ରକଟ କରିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପୁରୁଖା ଲୋକ କୁହନ୍ତି ଦିନଥିଲା ଏ ନଦୀର ଜଳକୁ ରୋଷେଇ କାର୍ଯ୍ୟଠୁ ଆରମ୍ଭ କରି ପାନୀୟ ରୂପେ ନିର୍ଭୟରେ ଲୋକେ ବ୍ୟବହାର କରୁଥିଲେ । ଏବେ କିନ୍ତୁ ଜଳ ଜହର ପାଲଟି ଗଲାଣି । ଜଳକୁ ଦେଖିଲେ ଡ଼ର ମାଡୁଛି । ଲୋକେ ନିଜ ଗୋଡ଼କୁ ନିଜେ କୁରାଢୀ ମାରିବା ପରି କାର୍ଯ୍ୟ କରୁଛନ୍ତି । ଲୋକେ ଫିଙ୍ଗୁଥିବା ବର୍ଜ୍ୟଗୁଡ଼ିକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନା କଟକଣା ରହିଛି । ଯଦ୍ୱାରା ନଦୀ ଜଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ କରି ବ୍ରିଜ୍ ପାଶ୍ୱର୍ରେ ତାର ଜାଲି ଲଗାଇବାର ବ୍ୟବସ୍ଥା କରନ୍ତୁ । ତତ୍ସହିତ ଜନସଚେତନତାର ବାର୍ତ୍ତା ସହ ଆବର୍ଜନା ନ ଫିଙ୍ଗିବା ପାଇଁ ମାର୍ଗଦର୍ଶିକା ଜାରି ହେଉ । ବାସଗୃହ ଏବଂ କଳକାରଖାନା ଇତ୍ୟାଦିରୁ ନିର୍ଗତ ବର୍ଜ୍ୟ ଜଳଗୁଡ଼ିକୁ ନଦୀର ଗର୍ଭକୁ ଛାଡ଼ି ନ ଦେଇ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରିବା ପାଇଁ ସୁବ୍ୟବସ୍ଥା ଏବଂ ସ୍ୱତନ୍ତ୍ର ଆଇନ୍ ଲାଗୁ କରାଯାଉ ବୋଲି ସୁଶାନ୍ତ ଦାବି କରିଛନ୍ତି । ଯଦି ଏବେଠାରୁ ଦୟାନଦୀର ସୁରକ୍ଷା ପାଇଁ ପଦକ୍ଷେପ ନିଆନଯାଏ ତେବେ ଆଗାମୀ ଦିନରେ ଆମ ପାଖରୁ ନଦୀଟି ଉଦ୍ଭାନ ହୋଇଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।


