ସୂଚନା ଅଧିକାରକର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାର, କ୍ରାଇମବ୍ରାଂଚ ତଦନ୍ତ ଦାବି
କେନ୍ଦ୍ରାପଡା – ଜିଲ୍ଲାର ମାର୍ଶାଘାଇରେ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କକୁ ହତ୍ୟା ଘଟଣାରେ ରାଜନେତାଙ୍କ ଚାପରେ ଜିଲ୍ଲା ପୋଲିସ ଚୁପ ହୋଇ ବସିଛି ବୋଲି ଓଡିଶା ସୂଚନା ଅଧିକାର ଅଭିଯାନ(ଓସା )ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଚପେଇଦେବାକୁ ଉଦ୍ୟମ ହେଉଥିବା ଅଭିଯାନର କର୍ମକର୍ତ୍ତାମାନେ ସନ୍ଦେହ କରୁଛନ୍ତି । ମାର୍ଶାଘାଇ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ଏକ ବିଲରେ ରଞ୍ଜନଙ୍କ ମୃତଦେହ ପଡିଥିବା ଗତ ୧ତାରିଖରେ ଦେଖିବାକୁ ମିଳିଥିଲା । ଖବରପାଇ ଓଡିଶା ସୂଚନା ଅଧିକାର ଅଭିଯାନର ଏକ ପ୍ରତିନିଧିଦଳ ସେଠାରେ ପହଁଚି ଦେଖିବା ପରେ ପାରିପାଶ୍ୱର୍ିକ ସ୍ଥିତିରୁ ତାହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଓସା ଅଭିଯୋଗ କରିଥିଲା । ସ୍ଥାନୀୟ ଅଂଚଳର ଅଧିବାସୀ ଓ ରଞ୍ଜନର ପରିବାର ମଧ୍ୟ ସମାନ ଅଭିଯୋଗ କରିଥିବା ସେ କହିଛନ୍ତି । ରଞ୍ଜନଙ୍କ ସମ୍ପର୍କୀୟ ବଳରାମ ଦାସଙ୍କ ଅଭିଯୋଗ ଅନୁଯାଇ ପୋଲିସ ୨୪/୨୦୨୦ରେ ଏକ ହତ୍ୟାମାମଲା ଦାୟରକରି ରଞ୍ଜନର ଶବ ବ୍ୟବଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲା । ଶବ ବ୍ୟବଛେଦ ପରେ ପରିବାରଲୋକଙ୍କୁ ରଞ୍ଜର ଶବ ପୋଲିସ ହସ୍ତାନ୍ତର କରିଥିଲା । କିନ୍ତୁ ଘଟଣାର ୫ଦିନ ପରେବି ପୋଲିସ ତଦନ୍ତ ଆରମ୍ଭ କରିନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ସମ୍ପର୍କରେ ନୀରବ ରହିଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ମୃତକ ରଞ୍ଜନ ଜଣେ ଦଳିତବର୍ଗର ବୋଲି ଥାନା ଅଧିକାରୀ ଜାଣି ସୁଦ୍ଧା ଅନୁସୂଚିତଜାତି,ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ୧୯୮୯ ଆଧାରରେ ଏତଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଛି । ଏହି ମାମଲାକୁ ଦୁର୍ବଳ କରିଦେବାକୁ ଏକ ସାଧାରଣ ମାମଲା ଭାବେ ବିବେଚନା କରାଯାଇ ତଦନ୍ତକାରୀ ଅଧିକାରୀ ଭାବରେ ପୋଲିସ ବିଭାଗର ଜଣେ ତଳିଆ ଅଧିକାରୀଙ୍କୁ ତଦନ୍ତ ଦାଇତ୍ୱ ଦିଆଯାଇଛିି । ଏହି ମାମଲାର ତଦନ୍ତ ଜଣେ ଡିଏସପି କ୍ୟାଡର ଅଧିକାରୀ କିମ୍ବା ତଦୁର୍ଦ୍ଧ ଅଧିକାରୀ ତଦନ୍ତ କରିବା କଥା । ଏସବୁ ଦୃଷ୍ଟିରୁ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବଛା ବଛା ପୋଲିସ ଅଧିକାରୀଙ୍କ ଦ୍ୱାରା ଏହି ହତ୍ୟା ଘଟନାର ତଦନ୍ତ କରାଯିବାକୁ ଓସା ପକ୍ଷରୁ ପୋଲିସ ମହାନିର୍ଦେଶକଙ୍କ ନିକଟରେ ଦାବି କରାଯାଇଛି । ଏଥିସହିତ ଜାତୀୟ ଅନୁସୂଚିତଜାତି କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ଓସା । ରଞ୍ଜନ ଓଡିଶା ସୂଚନା ଅଧିକାର ଅଭିଯାନର ଜଣେ ସକ୍ରୀୟ ସଦସ୍ୟ ତଥା ଜିଲ୍ଲା ଆବାହକ ଭାବରେ କାର୍ଯ୍ୟ କରୁଥିବା ବେଳେ ଅନେକ ଦୁର୍ନିତୀ ଓ ଅନିୟମିତତାକୁ ସୂଚନା ଅଧିକାର ତଥ୍ୟ ବଳରେ ପର୍ଦାଫାସ କରିଥିଲେ । ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନିତୀ,ଭିତରକନିକାରେ ବେଆଇନ ନିର୍ମାଣ,ଫାଲକନ କମ୍ପାନୀଦ୍ୱାରା ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ସମ୍ପର୍କରେ ଲଗାତର ଆନ୍ଦୋଲନ ଜାରି ରଖିବା ସହିତ ଲୋକାୟୁକ୍ତରେ ମଧ୍ୟ ଅନେକ କେଶ ଫାଇଲ କରିଥିଲେ ବୋଲି ଓସାର କର୍ମକର୍ତ୍ତା ସୂଚନା ଦେଇଥିଲେ । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ସମ୍ପର୍କରେ ରଞ୍ଜନ ଗତ ଡିସେମ୍ବରମାସ ୧୧ତାରିଖରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେବି ପୋଲିସ କୈାଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡରେ ରାଜନେତା,ପ୍ରଶାସନ ଓ ଅସାମାଜିକ ଗୋଷ୍ଠି ମିଳିତ ଭାବରେ ସଂପୃକ୍ତ ଥିବାରୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବିକରାଯାଇଛି । ମୃତ ରଞ୍ଜନ ତା ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ହୋଇଥିବାରୁ ପୁଅକୁ ହରାଇ ଅକ୍ଷମ ଓ ବୃଦ୍ଧ ପିତାମାତାଙ୍କୁ ୧୦ଲକ୍ଷ ଟଙ୍କା ପ୍ରାଥମିକ କ୍ଷତିପୁରଣ ବାବଦକୁ ପ୍ରଦାନ କରାଯିବାକୁ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଧାନ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମାନବୀକ ଅଧିକାର କର୍ମୀ ଅଖଣ୍ଡ, ସଂଯୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ଜିତେନ୍ଦ୍ର, ସ୍ଥାନୀୟ ସୂଚନା କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି, କାଳନ୍ଦି ମଳିକ, ମହମ୍ମଦ ଜିଆଉଦିନ, ବିକାଶ ମହାନ୍ତି, ନଗେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


