ସୂଚୀ ସୁନିଶ୍ଚିତ, ନଭେମ୍ବର ୧୨ରେ ସିଡ୍‌ନି ପହଞ୍ଚିବ କୋହଲି ବାହିନୀ

ନୂଆଦିଲ୍ଲୀ: କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ବୁଧବାର ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ସୂଚୀକୁ ଚୂଡାନ୍ତ ରୂପ ଦେଇଛି। ତଦନୁଯାୟୀ ଭାରତୀୟ କ୍ରିକେଟ୍ ଦଳ ଆଇପିଏଲ୍-୧୩ ସରିବାର ଦୁଇ ଦିନ ପରେ ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ସିଡ୍‌ନି ପହଞ୍ଚି ସେଠାରେ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବ। ସଙ୍ଗରୋଧ ବେଳେ କିନ୍ତୁ ଭାରତୀୟ ଖେଳାଳିଙ୍କୁ ଅଭ୍ୟାସ କରିବାର ସଂପୂର୍ଣ୍ଣ ସୁଯୋଗ ମିଳିବ। ବିସିସିଆ‌ଇର ଦାବି ମୁତାବକ ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଗୋଲାପୀ ବଲ୍ ଟେଷ୍ଟ୍ ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ସିଡ୍‌ନିରେ ଏକ ଅତିରିକ୍ତ ଦିବାରାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ବିସିସିଆଇର ମଞ୍ଜୁରି ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ଏକଥା ଆନୁଷ୍ଠାନିକ ଭା‌ବେ ପ୍ରକାଶ କରିଛି। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳା ଆଡିଲେଡ୍‌ର ଦିବା/ରାତ୍ର ଟେଷ୍ଟ୍‌ରୁ ହିଁ ଆରମ୍ଭ ହେବ। ଏହା ପରେ ମେଲବର୍ନ କ୍ରିକେଟ୍ ପଡ଼ିଆରେ ବକ୍ସିଂ ଡେ’ ଟେଷ୍ଟ୍ (ଡିସେମ୍ବର ୨୬ରୁ) ଏବଂ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ତୃତୀୟ ମ୍ୟାଚ୍ ଜାନୁଆରି ୭ରୁ ଖେଳାଯିବ। ଚତୁର୍ଥ ତଥା ଶେଷ ଟେଷ୍ଟ୍ ଜାନୁଆରି ୧୫ରୁ ବ୍ରିସବନ୍‌ର ଗାବା ଷ୍ଟାଡିୟମରେ ଆୟୋଜିତ ହେବ। ବିସିସିଆଇର ଅନ୍ୟ ଏକ ଦାବିକୁ ଗ୍ରହଣ କରି ମେଲବର୍ନର ବକ୍ସିଂ ଡେ ଏବଂ ସିଡ୍‌ନିର ନୂଆ ବର୍ଷ ଟେଷ୍ଟ୍ ମଧ୍ୟରେ ‘ସିଏ’ ଗୋଟିଏ ସପ୍ତାହର ବ୍ୟବଧାନ ରଖିଛି। ଉଭୟ ଅଷ୍ଟ୍ରେଲିଆ ଓ ଭାରତ ଏପର୍ଯ୍ୟନ୍ତ କୌଣସି ଦିବା-ରାତ୍ର ଟେଷ୍ଟ୍ ହାରିନାହାନ୍ତି। ଆଡିଲେଡ୍‌ରେ ଖେଳିଥିବା ଚାରିଟି ଯାକ ଗୋଲାପୀ ବଲ୍ ଟେଷ୍ଟ୍ (ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷରେ)ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଗତବର୍ଷ ଖେଳିଥିବା ଏକମାତ୍ର ଗୋଲାପୀ ବଲ୍ ଟେଷ୍ଟ୍‌ରେ ଭାରତ ପଡ଼ୋଶୀ ବାଂଲାଦେଶକୁ ପରାସ୍ତ କରିଥିଲା। ଏଣୁ ଆଡିଲେଡ୍ ମୁକାବିଲା ‌ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ