ସେବାଶ୍ରମର ପାଚେରୀ ଭାଙ୍ଗିଲା ଦନ୍ତାହାତୀ
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁବୁଡା ବ୍ଲକ ଅନ୍ତର୍ଗତ କାନସାରଳା ସେବାଶ୍ରମର ପାଚେରୀ କୁ ଫେବୃୟାରୀ ୬ ତାରିଖ ଭୋର ସମୟରେ ଏକ ଦନ୍ତାହାତୀ ଠେଲି ଭାଙ୍ଗିଦେବା ପରେ ସ୍କୁଲ ଭିତରେ ପଶି କଦଳୀ ଗଛ ସହ ଅନ୍ୟାନ୍ୟ ଗଛ ଭାଙ୍ଗି ନଷ୍ଟ କରିଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସେବାଶ୍ରମରେ ଆଦିବାସୀ ଓ ହରିଜନ ବାଲିକାମାନେ ଛାତ୍ରୀ ନିବାସରେ ରହି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ବ୍ୟବସ୍ଥା ରହିଅଛି । କରୋନା ଯୋଗୁଁ ଛାତ୍ରୀମାନେ ନିଜ ଘରକୁ ଚାଲିଯାଇ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଶବର, ଅନ୍ୟ ଜଣେ ଶିକ୍ଷକ ଓ ରୋଷେଇଆ ଦୁଇଜଣ ରହିଥିଲେ । ଗତ ରାତ୍ର ଭୋର ପ୍ରାୟ ୩ ଟା ସମୟରେ ଦନ୍ତାହାତୀ ଶେବାଶ୍ରମ ପାଚେରୀକୁ ଠେଲି ଭାଙ୍ଗି ସ୍କୁଲ ଭିତରେ ପଶିଥିଲା । ଦନ୍ତା ସ୍କୁଲ ପରିସରରେ ଥିବା ସମସ୍ତ କଦଳୀ ଗଛ ନଷ୍ଟ କରିବା ସହ ଅନ୍ୟ ଗଛ ମଧ୍ୟ ନଷ୍ଟ କରି ଦେଇଛି । ସେବାଶ୍ରମ ପରିଶରରେ ଦନ୍ତାହାତୀ ର ରଡିଶୁଣି ସମସ୍ତ କର୍ମଚାରୀ ଭୟଭୀତ ହୋଇ ରହିଥିବା ବେଳେ ଦନ୍ତାହାତୀଟି ପ୍ରାୟ ଦୁଇ ଘଣ୍ଟା ସମୟ ମଧ୍ୟରେ ପରିଶରରେ ଥିବା ଗଛପତ୍ର ଧ୍ୱଂସ କରି ଭୋର ୫ ଟା ସମୟରେ ସ୍କୁଲ ହତାରୁ ବାହାରି ଚାଲିଯାଇଥିଲା । ଏହି ଦନ୍ତାହାତୀଟି କିଛିଦିନ ପୂର୍ବେ ରାମପାଦ ଆଶ୍ରମ ସାଧୁଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିବା ବେଳେ ସାଧୁଙ୍କ ଜଙ୍ଘ ହାଡ଼ ଭାଙ୍ଗି ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି । ଏହି କାରଣ ଯୋଗୁଁ ସ୍କୁଲ କର୍ମଚାରୀ ବୃନ୍ଦ ଅତ୍ୟନ୍ତ ଭୟଭୀତ ହୋଇଥିବା ବେଳେ ଖବର ପାଇ ସିଆରସିସି ଆଶୁତୋଷ ମିଶ୍ର ସକାଳେ ସେବାଶ୍ରମରେ ପହଞ୍ଚି ବିଇଓ ଦାୟିତ୍ୱରେ ଥିବା ପ୍ରମୋଦ ଚନ୍ଦ୍ର ସେନାପତିଙ୍କୁ ସମସ୍ତ ବିଷୟ ଅବଗତ କରାଇଥିଲେ । ଆଦିବାସୀ ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଏହି ସେବାଶ୍ରମଟି ରହିଥିବା ଯୋଗୁଁ ଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେବାଶ୍ରମର ପାଚେରୀ କୁ ସୁଦୃଢ଼ ପିଲର ଦେଇ ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି ।


