ସ୍ୱଚ୍ଛତାର ଅଜବ ତରିକା
କାନପୁର: ସ୍ୱଚ୍ଛ ଭାରତ ଯୋଜନାକୁ କେମିତି ସଫଳତା ମିଳିବ ତାହା ପାଇଁ ସରକାରୀ ତଥା ବ୍ୟକ୍ତିଗତ ସ୍ତରରେ ଦେଶର ସବୁଆଡ଼େ ଚେଷ୍ଟା କରାଯାଉଛି । କିନ୍ତୁ ଛତିଶଗଡ଼ ଭିଲାଇର ୱେଲ୍ଫେୟାର ଫାଉଣ୍ଡେଶନ ଯେଉଁ ଉପାୟ ଆପଣାଇଛିି ତାହା ସାରା ଦେଶକୁ ଏକ ସନ୍ଦେଶ ଦେଇଛି । ଏହା ଏକଦମ୍ ବଢ଼ିଆ ଉପାୟ । ଖେଳକୁ ଖେଳ, ତା’ସାଙ୍ଗକୁ ଚାଲିଛି ସ୍ୱଚ୍ଛତା ଅଭିଯାନ । ଭିଲାଇ ବିକାଶଖଣ୍ଡର ମାଟରା ଗାଁ । ଏହାର ଲୋକସଂଖ୍ୟା ୨୫୦୦ । ଏହି ଗାଁରେ ୱେଲ୍ଫେୟାର ଫାଉଣ୍ଡେଶନ ପ୍ରତି ରବିବାର ଯୁବକଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ କରାଉଛି । ଦୁଇଟି ଟିମ୍କୁ ସ୍ୱଚ୍ଛତା ଦୂତ, ସ୍ୱଚ୍ଛତା ସିପାହୀ ଭାବେ ସ୍ୱାଗତ କରାଯାଉଛି । ଦୁଇ ଟିମ୍ ପ୍ରଥମେ ଗାଁରେ ମାର୍ଚ୍ଚପାଷ୍ଟ କରି ଖେଳ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଥାନ୍ତି । ଖେଳ ଶେଷ ହେବା ପରେ ଉଭୟ ବିଜେତା ଓ ଉପବିଜେତା ଟିମ୍କୁ ସମାନ ସମ୍ମାନ ମିଳେ । କିନ୍ତୁ ନିୟମ ମୁତାବକ ମ୍ୟାଚ୍ରେ ହାରୁଥିବା ଟିମ୍ ସେହି ସପ୍ତାହରେ ଗାଁ ସଫା କରୁଛି । କେବଳ ମାଟରା ନୁହେଁ ଏହାର ଆଖପାଖ ଗାଁରେ ବି ଏହାର ପ୍ରଭାବ ପଡିଛି । ସଂସ୍ଥାର ଏହି ଫର୍ମୁଲାକୁ ଦେଶ ସମ୍ମୁଖରେ ଏକ ମଡେଲ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ସୂତ୍ର କୌଣସି କଠିନ କାର୍ଯ୍ୟକୁ ସରଳ କରିଦେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ସ୍ୱଚ୍ଛତାର ଏହି ଅଭିନବ ଉପାୟ ପ୍ରତି ଗ୍ରାମବାସୀ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ୱେଲ୍ଫେୟାର ଫାଉଣ୍ଡେଶନ ଦୋକାନୀଙ୍କୁ ଝାଡୁ ଓ ଡଷ୍ଟବିନ ବାଣ୍ଟିବା ସହ ବର୍ଜ୍ୟକୁ ଅଲଗା ରଖିବାକୁ ଗାମବାସୀଙ୍କୁ ବସ୍ତା ବାଣ୍ଟୁଛି । ଏହି ସଂସ୍ଥାର ସମ୍ପାଦକ କହନ୍ତି, ଗାମବାସୀଙ୍କ ମଧ୍ୟର ଅଧିକାଂଶ ଶ୍ରମିକ ଓ କୃଷକ । ତଥାପି ଏମାନଙ୍କ ଚିନ୍ତାଧାରା ପୂରା ଭିନ୍ନ । ଏମାନେ ସଂସ୍ଥାକୁ ପୂରା ସହଯୋଗ କରି ସ୍ୱଚ୍ଛତାକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି । ସ୍ୱଚ୍ଛତାର ଏହି ସୁନ୍ଦର ଉପାୟ ଯଦି ପ୍ରତି ଗାଁ ଓ ସହର ଆପଣାଇ ପାରନ୍ତେ ତେବେ ସ୍ୱଚ୍ଛତା ଶୀଘ୍ର ଆସିପାରନ୍ତା ।


