ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ବେଳେ ମହିଁଷି ଆକ୍ରମଣରେ ୩ ଛାତ୍ରୀ ଗୁରୁତର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସୋମବାର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚାଲୁଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମୁଖ ପାଚେରୀ ପାଶ୍ୱର୍କୁ ସଫେଇ କରୁଥିବା ବେଳେ ରାସ୍ତାରେ ଯାଉଥିବା ମହିଁଷିଙ୍କ ଆକ୍ରମଣରେ ୩ ଛାତ୍ରୀ ଗୁରୁତର ହୋଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ସୂଚନା ମୁତାବକ ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରିଣୀ ଅଧ୍ୟାପିକା ବିଜୟିନୀ ପଢିହାରୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଫେଇ କରିବାକୁ ଯାଇଥିଲେ । ତାଙ୍କ ସହିତ ଜଗତସିଂହପୁର ନେହୁରୁ ଯୁବ କେନ୍ଦ୍ରର କର୍ମଚାରୀ ପବିତ୍ର ମୋହନ ସୁବୁଦ୍ଧି, ପୁରାତନ ବ୍ଲକ ଜାତୀୟ ଯୁବ ସଂଯୋଜକ ତପନ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମୁଖକୁ ସଫେଇ କରୁଥିଲେ । ହେଲେ ସେହି ସମୟରେ ରାସ୍ତାରେ ଯାଉଥିବା ମହିଁଷି ଅଚାନକ ଆକ୍ରମଣ କରିଥିଲେ । ଯାହାଫଳରେ ଏମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ରୀ ଗୁରୁତର ହୋଇପଡିଥିଲେ । ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଏମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଏହି ୩ ଜଣ ଛାତ୍ରୀ ଚିକିତ୍ସିତ ହେଉଥିବା ଜଣାଯାଇଛି ।


