ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ସମାରୋହ ଉପଲକ୍ଷେ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାଜିକ ଅନୁଷ୍ଠାନ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଆଜି ସ୍ଥାନୀୟ ସ୍କାଉଟ ଓ ଗାଇଡ଼ କାର୍ଯ୍ୟାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ବିଶାଳ ବୃକ୍ଷପ୍ରେମୀ ସମାବେଶ, ଶୋଭାଯାତ୍ରା ଓ ସଂକଳ୍ପ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୃକ୍ଷପ୍ରେମୀମାନେ ସ୍କାଉଟ, ଗାଇଡ୍‌, ଏନ୍‌ସିସି, ଏନ୍‌ଏସଏସ, ରେଡ଼କ୍ରସ, ଏନ୍‌ୱାଇକେ ଆଦି ଯୁବ ବାହିନୀ ସମେତ ରାଜ୍ୟର କୋଣ ଅନୁକୋଣୀରୁ ଆସିଥିବା ବୃକ୍ଷପ୍ରେମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ସ୍କାଉଟ ଓ ଗାଇଡ଼ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ୱର ସହର ପରିକ୍ରମା କରିସାରିବା ପରେ ସ୍କାଉଟ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ସମାବେଶ ଓ ସଂକଳ୍ପ ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଓଡ଼ିଶାକୁ ୨୦୨୩୬ ମସିହା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀରେ ବିଶ୍ୱର ସବୁଜ ରାଜଧାନୀରେ ପରିଣତ କରିବା ପାଇଁ ସଂକଳ୍ପ ପାଠ କରାଯିବା ସହ ଏକ ସ୍ୱତନ୍ତ୍ର ଲୋଗୋକୁ ମାନ୍ୟବର ଜଙ୍ଗଲ, ପରିବେଶ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଅମାତ ପ୍ରେରଣାର ପତାକା ଉତ୍ତୋଳନ କରିବା ସହିତ ବୃକ୍ଷପ୍ରେମୀମାନଙ୍କୁ ଏହି ଅଭିଯାନକୁ ସଫଳ କରିବା ପାଇଁ ଶପଥ ପାଠ କରାଇଥିଲେ । ସେହିପରି ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ, ପ୍ରେରଣା ପକ୍ଷରୁ ସରକାରୀ ଓ ବେସରକାରୀ ତଥା ଯୁବ ସଂଗଠନମାନଙ୍କୁ ନେଇ ଯେଉଁ ଅଭିଯାନ ଚାଲୁ ରହିଛି, ସେ ଅଭିଯାନକୁ ସଫଳ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ । କାରଣ ବର୍ତ୍ତମାନ ସମାଜରେ ବୃକ୍ଷରୋପଣ ଏତେ ଜରୁରୀ ହୋଇପଡ଼ିଛି ଯେ, ତାହା କହିବା ନିସ୍‌ପ୍ରୟୋଜନ । ଅତଏବ ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ କରୋନା ଠାରୁ ଭୟଙ୍କର ବୋଲି ସେ ନିଜ ବକ୍ତବ୍ୟରେ ବର୍ଣ୍ଣନା କରିବା ସହିତ ବୃକ୍ଷରୋପଣ ପାଇଁ ପ୍ରେରଣା ସହିତ ଏହି ଅଭିଯାନରେ ପ୍ରତ୍ୟେକ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସଭାପତିତ୍ୱ କରି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ଆମର ସଂକଳ୍ପ ପୂରଣ ପାଇଁ ରାଜ୍ୟର ହଜାର ହଜାର ଗ୍ରୀନ ଆର୍ମି ଆଜିଠାରୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ରାଜ୍ୟସ୍ତରୀୟ ସମାବେଶ ପରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବୃକ୍ଷପ୍ରେମୀ ସମାବେଶମାନ ଆୟୋଜନ କରାଯାଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ କରାଯିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପରାମର୍ଶଦାତା, ବିଶିଷ୍ଟ ସ୍ତମ୍ଭକାର ଡଃ ଭଗବାନ ପ୍ରକାଶ, ରେରାର ମେମ୍ବର-୧ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଶ୍ରୀ ପ୍ରଦୀପ କୁମାର ବିଶ୍ୱାଳ, ପୂର୍ବତନ ସ୍କାଉଟ ଓ ଗାଇଡ଼ର ସମ୍ପାଦିକା ମେଜର କଳ୍ପନା ଦାସ, ରାଜ୍ୟ ଶିକ୍ଷା ବିଭାଗର ଯୁଗ୍ମ ସଚିବ ତଥା ଜାତୀୟ ସେବା ଯୋଜନାର ଏସ୍‌ଏନ୍‌ଓ ଏବଂ ରେଡ଼କ୍ରସର ଯୁବ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା, ରୋଟାରୀ ଗଭର୍ଣ୍ଣର ଶ୍ରୀ ଯଜ୍ଞାଶିଷ ମହାପାତ୍ର, ଓଡ଼ିଶା ବୀର ମହାସଂଘର ସଭାପତି ଶ୍ରୀ ପ୍ରକାଶ ଶ୍ରୀଚନ୍ଦନ, ଡ. ସୁଶ୍ରୀ ଶତପଥୀ, ଆଗାମୀ ଭୁବନେଶ୍ୱର ସଂଗଠନର ସଭାପତି ଡ. ଦେବେନ୍ଦ୍ର ନନ୍ଦ, ଅଧ୍ୟାପିକା ଅନୁପମ୍ପା ଚମ୍ପତ୍ତିରାୟ, ସିଟି କ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ, ଶିକ୍ଷାବିତ୍ ଜଲିଲ ଖାନ, ବିଘ୍ନରାଜ ବେହେରା, ମନୋଜ ବାରିକ, ସ୍କାଉଟ ଗାଇଡ଼ର ଉପ ନିର୍ଦ୍ଦେଶକ ମିହିର କୁମାର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରେପ କରିଥିଲେ । ସେହିପରି ଓଡ଼ିଶା ଆଇରନ ମ୍ୟାନ ସିଦ୍ଧାର୍ଥ ରାଉତରାୟଙ୍କୁ ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପପେଟ ପଥପ୍ରାନ୍ତ ନାଟକ ଅନୁଷ୍ଠାନ ପକ୍ଷରୁ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପରିବେଶ ସୁରକ୍ଷା ସର୍ମ୍ପିତ ନାଟକ ଅଭିନିତ ହୋଇଥିଲା । ଓଡ଼ିଶାର ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ, ଅଧ୍ୟାପିକା, ବୃକ୍ଷପ୍ରେମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ