ସ୍ୱାମୀ ଦିବ୍ୟାନନ୍ଦଙ୍କ ନେତୃତ୍ୱରେ ଜଗନ୍ନାଥଧାମରୁ ପଶୁପତିଧାମ ଯାତ୍ରା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) : ସ୍ୱାମୀ ଦିବ୍ୟାନନ୍ଦଙ୍କ ନେତୃତ୍ୱରେ ଆଗାମୀ ୧୫ ତାରିଖ ଦିନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଶ୍ରୀ ଜଗନ୍ନାଥ ଧାମରୁ ଶ୍ରୀ ପଶୁପତିନାଥ ମୈତ୍ରୀ ଯାତ୍ରାର ଶୁଭାରମ୍ଭ ହେବ । ଏଥିରେ ବିଭିନ୍ନ ବର୍ଗର ୪୦ଜଣ ବିଶିଷ୍ଟ ବ୍ୟକ୍ତି ଯାତ୍ରା କରିବେ ଏବଂ ୨୪ ତାରିଖ ଦିନ ବିଶିଷ୍ଟ ଶାଳଗ୍ରାମମାନଙ୍କୁ ନେଇ ଶ୍ରୀଜଗନ୍ନାଥ ଧାମ ପହଞ । ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ର ପୁରୀ ସହ ନେପାଳର ସଂପର୍କ ନିବିଡ ରହିଆସିଥିବାବେଳେ ଆଧ୍ୟାତ୍ମିକ ଶିକ୍ଷାଳୟର ମୁଖ୍ୟ ସ୍ୱାମୀ ଦିବ୍ୟାନନ୍ଦଜୀଙ୍କ ନେତୃତ୍ୱରେ ସେଠାକାର ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ପରିଦର୍ଶନରେ ଯିବା ପାଇଁ ପଶୁପତିନାଥ ଏରିଆ ଡେଭେଲପମେଂଟ୍ ଟ୍ରଷ୍ଟ ଶ୍ରୀଜଗନ୍ନାଥପ୍ରେମୀମାନଙ୍କୁ ଆମନ୍ତ୍ରଣ କରିଛି । ପିଏଡିଟିର ସଦସ୍ୟ ସଚିବ ଡକ୍ଟର ପ୍ରଦୀପ ଢକାଲ୍ ଏଥିପାଇଁ ନିଜେ ଓଡିଶା ଗସ୍ତରେ ଆସି ଚଳିତ ମାସ ନେପାଳ ଯିବା ପାଇଁ ବ୍ୟକ୍ତିଗତ ଭାବେ ଶ୍ରୀଜଗନ୍ନାଥପ୍ରେମୀମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।
ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଢକାଲ୍ କହିଛନ୍ତି ଯେ, ଶ୍ରୀମନ୍ଦିରରୁ ସ୍ଥଳପଥରେ, ଅର୍ଥାତ୍ ରାସ୍ତାରେ ଏହି ଟିମ୍ ନେପାଳ ଗସ୍ତରେ ବାହାରି ବାଟରେ ବିଭିନ୍ନ ଆଧ୍ୟାତ୍ମିକ ପୀଠ ଦର୍ଶନ କରି ନେପାଳ ପହଂଚି ସେଠାରେ ପଶୁପତିଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ । ଏଥିପାଇଁ ପଶୁପତିନାଥ ମନ୍ଦିର ପ୍ରଶାସନ କାଠମାଣ୍ଡୁରେ ସମସ୍ତ ବନ୍ଦୋବସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତିା ଗତମାସରେ ସ୍ୱାମୀ ଦିବ୍ୟାନନ୍ଦଜୀଙ୍କ ନେପାଳ ଗସ୍ତ ସମୟରେ ସ୍ୱାମୀଜୀଙ୍କର ଶ୍ରୀବିଦ୍ୟାର ବ୍ୟାଖ୍ୟାୟଣ ଦ୍ୱାରା ପ୍ରଭାବିତ ହୋଇ ପଶୁପତିନାଥ ପୀଠରେ ଥିବା ଗୋଶାଳାର ଆଧୁନିକୀକରଣ ଦାୟିତ୍ୱ ଆଧ୍ୟାତ୍ମିକ ଶିକ୍ଷାଳୟ ନେବା ଲାଗି ଡକ୍ଟର ପ୍ରଦୀପ ଢକାଲ୍ ଅନୁରୋଧ କରିଛନ୍ତି । କେବଳ ଏତିକି ନୁହେଁ, ଆଧ୍ୟାତ୍ମିକ ଶିକ୍ଷାଳୟ ନେପାଳରେ ଏକ ବୈଦିକ ସ୍ମୃତି ଗବେଷଣାଗାର ପ୍ରତିଷ୍ଠା କରିବା ଲାଗି ରାଜି ହୋଇଥିବା ସୂଚନା ଦିଆଯାଇଛି । ନେପାଳର ଯୁବଗୋଷ୍ଠୀ ସେମାନଙ୍କ ମେଧା ଓ ପ୍ରତିଭା ବିକଶିତ କରିବା ଦିଗରେ ଏହି ଗବେଷଣାଗାର କାର‌୍ୟ୍ୟ କରିବ ଓ ଏହା ସେ ଦେଶର ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି ଏହି ଅବସରରେ କୁହାଯାଇଛି । ଏଥିସହିତ ପଶୁପତିନାଥଙ୍କ ମହିମାର ପ୍ରଚାର ପ୍ରସାର ପାଇଁ ଆଧ୍ୟାତ୍ମିକ ଶିକ୍ଷାଳୟ ପକ୍ଷରୁ ଶହେ ଜଣ ଯୁବ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପ୍ରସ୍ତୁତ କରାଯିବ, ଯେଉଁମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତ ବୁଲି ଶ୍ରୀପଶୁପତିନାଥଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବେ । ଶ୍ରୀଜଗନ୍ନାଥଙ୍କ ଭୂମିରୁ ଏହା ନେପାଳ ପ୍ରତି ସବୁଠାରୁ ବଡ ଅବଦାନ ହେବ ବୋଲି ଗସ୍ତ ସମୟରେ ଡକ୍ଟର ଢକାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବୃନ୍ଦାବନରୁ ଆସିଥିବା ସ୍ୱାମୀ ଦିବ୍ୟାନନ୍ଦଙ୍କ ପରମ ଶିଷ୍ୟା ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ କ୍ରିଷ୍ଣାନନ୍ଦ ସରସ୍ୱତୀ ପଶୁନାଥ ମନ୍ଦିର ପରିଦର୍ଶନରେ ଯିବା ଲାଗି ପୁରୀର ଭକ୍ତମାନଙ୍କୁ ନିମନ୍ତ୍ରଣ ଜଣାଇଥିବାରୁ ଡକ୍ଟର ଢକାଲଙ୍କ ସମେତ ପଶୁପତିନାଥ ମନ୍ଦିର ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ