ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକରେ ପୁଣି ଥରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଶନିବାର ଜଣେ ପ୍ରସୂତୀ ପ୍ରସବ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ନଥିବାରୁ ପ୍ରସବ ବେଦନା ସହିତ ଘରକୁ ଫେରୁଥିଲେ। ଫେରିବା ସମୟରେ ଅଧା ବାଟରେ ଅଟୋ ଭିତରେ ମହିଳା ଜଣଙ୍କ ପ୍ରସବ କରିଥିଲେ । ଫଳରେ ଶିଶୁଟି ମୃତ ଜନ୍ମ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ୍ ପର୍ତ୍ତମାହା ପଞ୍ଚାୟତ ଅନ୍ତର୍ଗତ ପାଡେଲମାଲା ଗ୍ରାମରେ । ପାଡେଲମାଲା ଗ୍ରାମର ସୁଜାତା ପ୍ରଧାନ ଅସହ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଗାଁ’ଠାରୁ ଦୀର୍ଘ ୨୫ କିଲୋମିଟର ଦୂରରୁ ଅଟୋ ଯୋଗେ ଆସି ଦାରିଙ୍ଗବାଡ଼ି ମେଡିକାଲରେ ପହଞ୍ଚିଥିଲେ l ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ଗର୍ଭବତୀ ମହିଳା ସୁଜାତାଙ୍କୁ ବାଲିଗୁଡା ମେଡିକାଲ ନେବାକୁ କୁହାଯାଇଥିଲା । କିନ୍ତୁ ସୁଜାତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଟଙ୍କା ଅଭାବରୁ ପରିବାର ଲୋକେ ବାଲିଗୁଡା ମେଡିକାଲକୁ ନେବାକୁ ସକ୍ଷମ ହୋଇନଥିଲେ । ଶେଷରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଜାତା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ପରିବାର ଲୋକ ସହିତ ଏକ ଅଟୋ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ପର୍ତ୍ତମାହା ପଞ୍ଚାୟତ ସାରୁମାହା ନିକଟରେ ସୁଜାତା ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ । ଦାରିଙ୍ଗବାଡ଼ି ମେଡିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ପଚାରିବାରୁ ସେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଉପସ୍ଥିତ ଥିବା କହିବା ସହିତ ସୁଜାତାଙ୍କ ପରିବାର ଲୋକଙ୍କୁ ଡାକ୍ତର ନାହାନ୍ତି ବୋଲି ଡାକ୍ତରଖାନାର କୋଉଁ କର୍ମଚାରୀ କହିଲେ ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।