ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କେନ୍ଦ୍ରାପଡା କୋର୍ଟ ପରିଦର୍ଶନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡଃ. ଏସ୍ ମୁରଲୀଧର ଶନିବାର ଏକ ଦିନିକିଆ ଗସ୍ତରେ ଆସି କେନ୍ଦ୍ରାପଡାର ବିଚାର ବିଭାଗୀୟ କାର୍ଯ୍ୟାଳୟ ଗୁଡିକ ପରିଦର୍ଶନ କରିଥିଲେ । ଏଥିସହିତ ଜଷ୍ଟିସ ମୂରଲୀଧର ଜିଲ୍ଳାର ବିଚାର ବିଭାଗୀୟ ବ୍ୟବସ୍ଥା ଓ ମାମଲା ଗୁଡିକର ମଧ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ସମୟରେ ଜିଲ୍ଲା ଦୈାରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଏବଂ ଜିଲ୍ଲାର ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାପରେ ମୂଖ୍ୟ ବିଚାରପତି ଜଷ୍ଟିସ ମୁରଲୀଧର କେନ୍ଦ୍ରାପଡା ପୁରୁଣା ଅଦାଲତ ପରିସରରେ ଅନୁଷ୍ଟିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ଜିଲ୍ଲାର ଯୁବ ଓକିଲମାନେ ଅଧିକରୁ ଅଧିକ ଅଧ୍ୟୟନ କରିବା ସହ ବୈଷୟିକ ଜ୍ଞାନକୈାଶଳର ଉପଯୋଗ କରି ଅଦାଲତରେ ମକ୍କଦ୍ଦମା ଚଳାଇବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଓକିଲ ସଙ୍ଘ ଗୁଣାତ୍ମକ ଆଇନଜୀବୀ ସୃଷ୍ଟି କରିବା ଆବଶ୍ୟକ ଯାହା ଫଳରେ ସେମାନେ ପ୍ରବେଶିକା ପରୀକ୍ଷା ଦେଇ ସିଧାସଳଖ ଜିଲ୍ଲାଜଜ ହୋଇ ଜିଲ୍ଲାର ସୁନାମ ବୃଦ୍ଧି କରିପାରିବେ ବୋଲି ମୁଖ୍ୟ ବିଚାରପତି କହିଥିଲେ । ଏହାବ୍ୟତିତ ସବୁ ଓକିଲବନ୍ଧୁ ଓ ବିଚାର ବିଭାଗୀୟ ଅଧିକାରୀମାନେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବିଶେଷ କରି ସୋସିଆଲ ମିଡିଆ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ଉଚିତ ବୋଲି ସେ କହିଥିଲେ । ରାଇଟ୍ ଅଫ୍ ପ୍ରାଇଭେସିର ସୁରକ୍ଷା ଉପରେ ମୁଖ୍ୟ ବିଚାରପତି ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ଆଇନଜୀବୀ ଆଶୁତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସଙ୍ଘର ସମ୍ପାଦକ ସେକ୍ ଅଜିମୁଦ୍ଦିନ୍ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଜୀତେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲା ଦୈାରାଜଜ ଅଜୟ ପ୍ରଧାନ ମଞ୍ଚାସୀନ ଥିଲେ । ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ ମୁଖ୍ୟ ବିଚାରପତିଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ନୂତନ ଭିଜଲାନ୍ସ କୋର୍ଟ, ଲେବର କୋର୍ଟ ଏବଂ ଏମ.ଏ.ସି.ଟି. କୋର୍ଟ(ସ୍ୱାଧୀନ) ପ୍ରତିଷ୍ଠା କରାଯିବା ପାଇଁ କରିଥିବା ଦାବି ସହିତ ମୁଖ୍ୟ ବିଚାରପତି ସହମତି ପ୍ରକାଶ କରିଥିଲେ । ଏଥିସହିତ ଓକିଲ ସଙ୍ଘର ଏକ ନୂତନ ଗୃହ ଏବଂ ତତ୍ ସମ୍ପର୍କିତ ସରଞ୍ଜାମ ଯୋଗାଇଦେବାକୁ ମୁଖ୍ୟ ବିଚାରପତି ପ୍ରତିଶୃତି ଦେଇଥିଲେ । ଅନ୍ୟାମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ବିଚିତ୍ରାନନ୍ଦ ମହାନ୍ତି, ଉମେଶ ଚନ୍ଦ୍ର ସିଂହ, ଅକ୍ଷୟ କୁମାର ମହାନ୍ତି, ଗଗନବିହାରୀ ଜେନା, ଦେବଦାସ ମହାନ୍ତି, ଧିରେନ ସାହୁ, ସରୋଜରାଜ ସିଂହ, ପ୍ରଭାତ ଅଧିକାରୀ, ଆଶିଷ ସେନାପତି, ଗୋବର୍ଦ୍ଧନ ରାଉତ, ରଞ୍ଜନ ପଣ୍ଡାଙ୍କ ସମେତ ସଙ୍ଘର କର୍ମ କର୍ତ୍ତା ଓ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ ।


