ହାଟଡିହିରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୩୫୦ଟି ଅଭିଯୋଗର ଶୁଣାଣି ହୋଇଥିଲା । ବିଶେଷକରି ୮୦ଭାଗ ଅଭିଯୋଗ କେବଳ ଆବାସ ଯୋଜନା ଘର ଓ ଭତ୍ତା ପାଇଁ ଆସିଥିଲା । ଆଜି ୩୮ଜଣ ଭିନ୍ନକ୍ଷମଙ୍କୁ ମଟରବାଇକ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଆଜିର ଏହି ଶିବିରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଏସ.ପି ବିରଞ୍ଚି ପ୍ରସାଦ ଦେହୁରୀ, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କିଶୋର କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗମାନ ଶୁଣିଥିଲେ । ଏହି ଶୁଣାଣିରେ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ଜିଲ୍ଲା ସାମାଜିକ ଭିନ୍ନକ୍ଷମ ଶଶକ୍ତିକରଣ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ, ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆ, ଜିଲ୍ଲା ପଞ୍ଚାୟତ ଅଧିକାରୀ କ୍ରିଷ୍ଣଚନ୍ଦ୍ର ଅଢ଼. ହଦଗଡ ରେଞ୍ଜର ଲଛମନ ବେହେରା, ବିଇଓ ଧନେଶ୍ୱର ଖଣ୍ଡେଇ, ବିଡିଓ ବିନିତା ବିଜୟିନୀ, ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ସମେତ ଅନେକ ବିଭାଗର ଜିଲ୍ଲା ପଦାଧିକାରୀ ମାନେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣିରେ ନନ୍ଦିପଦା ଠାରୁ ବଡ ରମ୍ପାସ ପର୍ଯ୍ୟନ୍ତ ଥିବା ମାଟି ରାସ୍ତାକୁ ଗ୍ରାମ୍ୟଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ପକ୍କା ସଡକ ନିର୍ମାଣ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନନ୍ଦିପଦା ଗ୍ରାମର ଭଗବାନ ରାଉତ ଅଭିଯୋଗ କରିଥିଲେ । ସେହିପରି ବଞ୍ଚୋ ଗ୍ରାମରେ ଥିବା ଦେବୋତ୍ତର ବିଭାଗର ଜମି ଗୁଡିକ ଜବରଦଖଲ ହୋଇ ରହିଥବବାରୁ ଜବରଦଖଲ ହଟାଇବା ପାଇଁ ଅମୀୟ ବରାଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ବ୍ଲକ କାର୍ଯ୍ୟାଳୟକୁ ଦୁର ଦୁରାନ୍ତରୁ ନିୟମିତ ଶହଶହ ଲୋକ ଆସୁଥିବାରୁ ଓ ଏଠାରେ ମଧ୍ୟାହ୍ନ ଭୋଜନ ପାଇଁ କୌଣସି ସୁବ୍ୟବସ୍ଥା ନଥିବାରୁ ଲୋକମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଏଣୁ ବ୍ଲକ ପରିସରରେ ଏକ ଆହାର କେନ୍ଦ୍ର ଖୋଲିବାକୁ ଦେବବ୍ରତ ବେହେରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।


