ହାଟଡିହି ବ୍ଲକର ଦୁର୍ନୀତିକୁ ରୋକିବାରେ ପ୍ରଶାସନ ବିଫଳ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ହେଉଥିବା ଦୁର୍ନୀତିକୁ ରୋକିବାରେ ପ୍ରଶାସନିକ ଆନ୍ତରିକତା ନଥିବାରୁ ଏହାର ଚେର ଏବେ ଲମ୍ବି ଲମ୍ବି ଚାଲିଛି । ବ୍ଲକରେ ଭତ୍ତା ଦୁର୍ନୀତି, ହରିଶ୍ଚନ୍ଦ୍ର ଯୋଜନା ଦୁର୍ନୀତି, ଆବାସ ଯୋଜନା ଦୁର୍ନୀତି, ମନରେଗା ଯୋଜନାର ଦୁର୍ନୀତି ଏପରି କିଛି ଯୋଜନା ନାହିଁ ଯେ କେଉଁ ଯୋଜନାରେ ଦୁର୍ନୀତି ହୋଇନାହିଁ । ଭତ୍ତା ଯୋଜନାର ଦୁର୍ନୀତିକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେବି ସରକାରୀ ସ୍ତରରେ ଏହାର ତଦନ୍ତ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଅନେକ ପଞ୍ଚାୟତରେ ଶହଶହ ମଲା ଲୋକଙ୍କ ନାମରେ ଭତ୍ତା ଉଠାଯାଇ ବର୍ଷବର୍ଷ ଧରି ହଡପ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଯିଏ ପାରିଲା ସିଏ ନେଇଗଲା । ଏପରିକି ଡଅଁର, କେ ବାଲିପାଳ, ହଦଗଡ, ପଢ଼ିଆରିପଲ୍ଲୀ ଆଦି ପଞ୍ଚାୟତରେ ମଲାଲୋକଙ୍କ ନାମରେ ଭତ୍ତା ଉଠାଯାଇ ହଡପ କରାଯାଉଥିବା ନେଇ ଅଭିଯୋଗମାନ ହୋଇଥିଲେବି ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏପରିକି ବ୍ଲକର ଜଣେ କର୍ମଚାରୀ ଭତ୍ତା କେଳେଙ୍କାରୀରେ ସଂପୃକ୍ତ ଥିବାନେଇ ଅଭିଯୋଗ ହୋଇଥିଲେ ବି ତାଙ୍କ ସୁରକ୍ଷା ପାଇଁ କୌଣସି ତଦନ୍ତ କରାନଯାଇ ଏହାକୁ ଚାପି ଦିଆଯାଉଛି ବୋଲି ବିଜେପି ନେତା ଆଲୋକ ସେଠୀ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଯେ ଗତ ତିନିବର୍ଷ ଭିତରେ କେବଳ ଭତ୍ତା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ହଡପ କରାଯାଇଛି । ସେହିପରି ବ୍ଲକରେ ମନରେଗା ଯୋଜନାର ଦୁର୍ନୀତିକୁ ନେଇ ହାଟଡିହି ବ୍ଲକ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେବି ଏହି ଯୋଜନାର ଦୁର୍ନୀତିକୁ ରୋକିବାଲାଗି ସେପରି କୌଣସି ପଦକ୍ଷେପ ନିଆଯାଉ ନାହିଁ । ମୋ ପୋଖରୀ, ଜମି ଉନ୍ନତିକରଣ ଭଳି ଯୋଜନା ଗୁଡିକୁ ଯିଏ ଯେତେ ଦେଇପାରିଲା ସେ ସେତେ ପାଇପାରିଲା ଭଳି ବଣ୍ଟା ଯାଉଛି । ଏହି ଯୋଜନାରେ ଜଣେ ବ୍ୟକ୍ତି ଯେକୌଣସି ଗୋଟିଏ ଯୋଜନାରେ ଅନ୍ତର୍ଭୁକ୍ତ ହେବାଭଳି ନିୟମ ଥିଲେବି ଏହା ଏଠାରେ କାର୍ଯ୍ୟକାରୀ ହେଉନି । ଏହି ବ୍ଲକର ହାବଳେଶ୍ୱର ପଞ୍ଚାୟତରେ ଜଣେ ବିଜେଡି ନେତା ନିଜ ନାମରେ ଗୋଟିଏ ପ୍ରକଳ୍ପ ନେବା ସହିତ ନିଜ ବାପା ଓ ମା ନାମରେ ପ୍ରକଳ୍ପ ଦେଖାଇ ତିନିତିନଟି ପ୍ରକଳ୍ପ ହାତେଇ ନେଇଗଲେ । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବାସହ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେବି ପ୍ରଶାସନ ଏହାର ତଦନ୍ତ କଲାନି । ସେହିପରି ଶାଳଣିଆଁ ପଞ୍ଚାୟତରେ ତପନ କୁମାର ସେଠୀ,୨୦୧୫/୧୬ରେ ମୋ ପୋଖରୀ ଯୋଜନାରେ ୪୬୬୧୬ଟଙ୍କା ନେଇଥିବାବେଳେ ୨୦୨୦/୨୧ରେ ମୋ ପୋଖରୀ ଯୋଜନାରେ ୯୬ହଜାର ୮୮୦ଟଙ୍କା ଉଠାଇଛନ୍ତି । ସେହିପରି ଶ୍ରୀଧର ସ୍ୱାଇଁ ୨୦୧୭/୧୮ରେ ଜମି ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୪୭୩୪୦ଟଙ୍କା ନେଇଥିବାବେଳେ ୨୦୨୦/୨୧ରେ ପୁନର୍ବାର ସେହି ଜମି ଉନ୍ନତିକରଣ ପାଇଁ ୧ଲକ୍ଷ୧୯୬୫୦ଟଙ୍କା ଉଠାଇଛନ୍ତି । ସେହିପରି ଶରତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୨୦୧୮/୧୯ରେ ଜମି ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୧୦୮୪୦ଟଙ୍କା ଦିଆଯାଇଥିବାବେଳେ ପୁନର୍ବାର ୨୦୨୦/୨୧ରେ ଦେଢ଼ଲକ୍ଷ ଯଙ୍କା ଯୋଗାଇ ଦିଆଯାଇଛି । ଖାଲି ଏହି ପଞ୍ଚାୟତ ନୁହଁ ବ୍ଲକର ଅଧିକାଶଂ ପଞ୍ଚାୟତରେ ଜଣେ ଜଣେ ବ୍ୟକ୍ତି ଦୁଇ ଦୁଇଟି ସମାନ ପ୍ରକଳ୍ପ ହାତେଇ ଥିବାବେଳେ ପଞ୍ଚୁଗୋଛିଆ ପଞ୍ଚାୟତରେ ଜଣେ ବ୍ୟକ୍ତି ନିଜ ନାମରେ ଦୁଇଟି ପ୍ରକଳ୍ପ ଓ ହାବଳେଶ୍ୱର ପଞ୍ଚାୟତରେ ଜଣେ ବ୍ୟକ୍ତି ନିଜ ନାମରେ ଗୋଟିଏ ଓ ନିଜ ସ୍ତ୍ରୀ ନାମରେ ଗୋଟିଏ ପ୍ରକଳ୍ପ ହାତେଇଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେବି ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରାଯାଇନଥିବା ଜଣାଯାଇଛି । ବିଶେଷକରି ଏହିସବୁ ପ୍ରକଳ୍ପ ବଣ୍ଟନ ବେଳେ ପିଇଓ, ଜିଆରଏସ ମାନେ ତଦନ୍ତ କରି ହିତାଧିକାରୀ ଚୟନ କରିବାର ଥିବାବେଳେ ଏଠାରେ ମୋଟା ଅଙ୍କର ବଟିନେଇ ସବୁ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି । ଶାଳଣିଆଁ, ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଅନେକ ହେରଫେର ହୋଇଥିବା ନେଇ ଅଭିଯୋଗ ପରେ ଏବେ ପୁଣି ସଢ଼ା ପଞ୍ଚାୟତରେ ହରିଶ୍ଚନ୍ଦ୍ର ହରିଲୁଟ ଅଭିଯୋଗ ଆସିଛି । ବାଲିବରେଇ ପଞ୍ଚାୟତରେ ତତ୍କାଳୀନ ବିଡିଓ ବିଚିତ୍ର କୁମାର କରଙ୍କ ନିଦେ୍ର୍ଦଶରେ ତଦନ୍ତ ହୋଇଥିଲେବି କଣ ଫଳାଫଳ ବାହାରିଲା ତାହା ଜଣାପଡିଲା ନାହିଁ । ସେହିପରି ଆବାସ ଯୋଜନାରେ ମଧ୍ୟ ନାହିଁ ନଥିବା ଦର୍ନୀତି ହୋଇଥିଲେବି କାର୍ଯ୍ୟାନୁଷ୍ଠାନ ଶୁନ । ପଞ୍ଚୁଗୋଛିଆ ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ଆବାସ ଯୋଜନା ଘରକୁ ସେହି ପଞ୍ଚାୟତର ତତ୍କାଳୀନ ପିଇଓ ଅନ୍ୟ ଜଣକୁ ବିକ୍ରୀ କରିଦେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବ୍ଲକରେ ଏବେ ସବୁ ବିଭାଗରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଚାଲୁଛି । ବ୍ଲକରେ ହୋଇଥିବା ମନରେଗା ଦୁର୍ନୀତି ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯଦି ଅଭିଯୋଗ ଆସେ ତେବେ ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଜେପି ପକ୍ଷରୁ ଏପରି ଦୁର୍ନୀତି ବିରୁଦ୍ଧରେ ପ୍ରାାସନ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଆମ୍ବୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିଜେପି ନେତା ଆଲୋକ ସେଠୀ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ