ହିଞ୍ଜିଳି ବ୍ଳକରେ ନକଲି ପିଡ଼ିଏସ ଚାଉଳ ବଣ୍ଟନ ଅଭିଯୋଗ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ରେ ନକଲି ଚାଉଳ ମିଶ୍ରିତ ଚାଉଳ ପକେଟ ପଞ୍ଚାୟତ ସାଧାରଣ ବଣ୍ଟନ କେନ୍ଦ୍ରରେ ଜନ ସାଧାରଣଙ୍କୁ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି ।ଏହାକୁ ଭିତ୍ତିକରି ବ୍ଳକ କାର୍ଯ୍ୟାଳୟ ଯୋଗାଣ ନିରୀକ୍ଷକଙ୍କ ଠାରେ ଗ୍ରାମବାସୀଙ୍କ ଦ୍ୱାରା ତଦନ୍ତ ନିମନ୍ତେ ଅଭିଯୋଗ ପତ୍ର ଦିଆଯାଇଛି । ମକରଝୋଳ ପଞ୍ଚାୟତ ବଳରାମପୁର ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ନିଜ ପଞ୍ଚାୟତର ସାଧାରଣ ବଣ୍ଟନ କେନ୍ଦ୍ରରେ ଏଭଳି ନକଲି ମିଶ୍ରିତ ଚାଉଳ ଜନସାଧାରଣଙ୍କୁ ବଣ୍ଟା ଯାଇଥିବାର ଅଭିଯୋଗ ଉଠିବା ସହ ଉତେଜନା ସୃଷ୍ଟି ହୋଇଛି । ଏହି ପିଡ଼ିଏସ ସାମଗ୍ରୀ ସାଧାରଣ ବଣ୍ଟନ କେନ୍ଦ୍ର ଠାରୁ ଗ୍ରାମବାସୀ ଗ୍ରହଣ କରି ବସ୍ତା ଭିତରୁ ଦୁଇ ପ୍ରକାର ମିଶ୍ରିତ ଚାଉଳ ଦେଖିବାକୁ ପାଇଥିଲେ । କ୍ରମଶଃ ଗ୍ରାମ ସାରା ଏହି ବିଷୟ ପ୍ରଚାରିତ ହେବା ସହ ଚାଉଳର ମାନ ଉପରେ ପ୍ରଶ୍ନ ଉଠିଥିଲା । କିଛି ବ୍ୟକ୍ତି ବିଶେଷ ବଜାର ରେ ମିଳୁଥିବା ନକଲି ପ୍ଲାଷ୍ଟିକ ଚାଉଳ ମିଶ୍ରିତ ହୋଇଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ସମ୍ପୁର୍ଣ୍ଣ ଧୋବ ଦେଖାଯାଉଥିବା ଏହି ଭିନ୍ନ ଚାଉଳ ପାଣିରେ ଭାସୁଥିବା ବେଳେ ଗରମ ପାଣିରେ ମିଳେଇ ଯାଉଥିବା ଏବଂ ଚାଉଳର କୌଣସି ସତ୍ତା ରହୁନଥିବା ଯୋଗୁଁ ଏହି ଖାଦ୍ୟ ଲୋକଙ୍କ ପାଇଁ ଅଯୋଗ୍ୟ ତଥା ନିମ୍ନ ମାନର ଚାଉଳ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ବିଷୟକୁ କେନ୍ଦ୍ରକରି ବଳରାମପୁର ଅଞ୍ଚଳବାସୀ ହିଞ୍ଜିଳି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ବ୍ଳକ ଯୋଗାଣ ନିରୀକ୍ଷକ ଭିଯୋଗ ମାଧ୍ୟମରେ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି | କିନ୍ତୁ ଉକ୍ତ ବିଷୟ ପ୍ରତି ପ୍ରଶାସନିକ ଅଧିକାରୀ କୌଣସି କର୍ଣ୍ଣପାତ ନ କରିବା ସହ ନାମ ଦେଖାଣିଆ ଖାମଖିଆଲି ମନବୃତି ରଖି ତଦନ୍ତ କରିଥିବା ବଳରାମପୁର ଗ୍ରାମବାସୀ କହିଛନ୍ତି | ଏବଂ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ଗଣମାଧ୍ୟମ ଦ୍ୱାରା ଯୋଗାଣ ନିରୀକ୍ଷକଙ୍କୁ ଯୋଗାଯୋଗ କରିବା ପରେ ନିରୀକ୍ଷକ ମୋହଦୟ କହିଛନ୍ତି ଯେ ଏହି ବିଷୟରେ ସେ ଅବଗତ ଅଛନ୍ତି | ସ୍ଥାନୀୟ ଅଞ୍ଚଳରୁ ଚାଉଳ ନମୁନା ସଂଗ୍ରହ ସହ ପରୀକ୍ଷଣ କରାଯାଇଛି । ଏହା ନକଲି ଚାଉଳ ନୁହେଁ ବରଂ କୁକୁଡ଼ାଖଣ୍ଡି ଗୋଦାମରୁ ଆସିଥିବା ଏହି ଚାଉଳ ଗୋଦାମ ରେକର ନିମ୍ନଭାଗର ଭୂମି ତଳକୁ ଲାଗିଥିବା ଚାଉଳ । ବହୁ ଦିନ ଧରି ଉପର ଓଜନିଆ ବସ୍ତା ଚାପିହୋଇ ରହିଥିବାରୁ ଚାଉଳର ପରିବର୍ତ୍ତନ ଏପରି ହୋଇଛି । ତାହା ହେଲେ ଏପରି ଚାଉଳ ବଣ୍ଟାଗଲା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯଦି ଏହା ନିମ୍ନମାନର ଚାଉଳ ନୁହେଁ ତେବେ ଉଷୁମ ପାଣିରେ ମିଳେଇ ଯିବା ଯୋଗୁଁ ଚାଉଳ ପେଜ ଭଳି ମଣ୍ଡ ବସି ଯାଉଛି ଏହାକୁ ନେଇ ଖାଦ୍ୟ ନିରାପତ୍ତା ପ୍ରତି ପ୍ରଶ୍ନ ଉଠାଇଛନ୍ତି ଜନ ସାଧାରଣ । ଏହି ଚାଉଳ ବସ୍ତାର ପ୍ରିଣ୍ଟ ନମୁନାକୁ ଦେଖିଲେ ସାପୁଆପୋଲି ମିଲ ଆଂଶିକାରୁ ଯୋଗାଣ ହୋଇଥିବା ସୂଚନା ମିଳେ । ଏଭଳି ସ୍ଥିତିରେ ଚାଉଳର ମାନ୍ୟତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଗ୍ରାମବାସୀ କହିବା ପ୍ରକାରେ ତଦନ୍ତରେ ଘଳିଆ କରି ପିଡ଼ିଏସକୁ ଚାଉଳ ଯୋଗାଣ କରୁଥିବା ମିଲକୁ ସୁରକ୍ଷା ଦିଆଯାଉନାହିଁ ତ ? ପରବର୍ତ୍ତୀ ସମୟରେ ସ୍ୱଚ୍ଛ ଭାବମୂର୍ତ୍ତି ମୋ ସରକାର ଉପରେ କଳାର ଦାଗ ନ ଲାଗୁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି ।


