ହୁମା ଶୁଖୁଆ ହାଟ ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
ଗଂଜାମ, (ଓ୍ବାଇଏନ୍ଏସ୍):ଅଲୋଡ଼ା ହେଲା ଶିଶୁ ପୁତ୍ର । ଅନେକ ସମୟରେ ଜନ୍ମ ପରେ ଶିଶୁକନ୍ୟାକୁ ଅଲୋଡ଼ା କରି ରାସ୍ତା କଡ଼ରେ କିମ୍ବା ବୁଦା ମୂଳେ ଛାଡି ଦିଆଯାଉଥିବାର ଦେଖାଯାଇଛି । ତେବେ ନବଜାତ ଶିଶୁପୁତ୍ରକୁ ଅଲୋଡ଼ା କରି ଦିଆଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ବ୍ଲକ ହୁମା ଅଞ୍ଚଳରେ । ହୁମା ଶୁଖୁଆ ହାଟ ନିକଟସ୍ଥ ଏକ ଗୋଦାମ ଗୃହ ପାର୍ଶ୍ୱରେ ଶିଶୁପୁତ୍ର କାନ୍ଦୁଥିବା ଗ୍ରାମବାସୀ ଶୁଣିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ହୁମା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର ଅଣାଯାଇଥିଲା ।ହେଲେ ସେଠି ଡାକ୍ତର ନଥିବା ହେତୁ ଶିଶୁପୁତ୍ର କୁ ନେଇ ଛତ୍ରପୁର ମେଡ଼ିକାଲ କୁ ପଠାଇ ଦିଆଯାଇଥିଲା। ବର୍ତ୍ତମାନ ଶିଶୁ ପୁତ୍ର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ତେବେ କିଏ କେଉଁ ପରିସ୍ଥିତିରେ ଶିଶୁପୁତ୍ରଟିକୁ ଫୋପାଡ଼ି ଦେଇଥିଲା ତାହାକୁ ନେଇ ଏବେ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି । କିଛି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଲକଡାଉନ ଯୋଗୁଁ ଯେଉଁ ପ୍ରବାସୀ ଶ୍ରମିକ ମାନେ ଚାଲି ଚାଲି ଯାଉଛନ୍ତି ସେମାନେ ଛାଡି ଦେଇଥିବେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ହୁମା ଫାଣ୍ଡି କୁ ଜଣାଇଥିଲେ ହେଲେ ହୁମା ଫାଣ୍ଡି ଅଧିକାରୀ କହିଥିଲେଯେ ଆମେ କିଛି କରିପାରିବୁନାହିଁ ତମ ଘରେ ନେଇ ଛୁଆ କୁ ରଖିଦିଅ ବୋଲି କହିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।


