ହେବନି ଅଦିନିଆ ରଥଯାତ୍ରା
ପୁରୀ : ଆସନ୍ତା ୨୯ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଏକ ଅଦିନିଆ ରଥଯାତ୍ରା ହେବାକୁ ଥିଲା। ଏହାକୁ ପୁରୀ ଶ୍ରୀମନ୍ଦିର ସେବାୟତ ପକ୍ଷରୁ ବିରୋଧ କରାଯିବା ପରେ ନାନା ବାଦବିବାଦ ଆରମ୍ଭ ହୋଇଥିଲା। ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଦିନିଆ ରଥଯାତ୍ରାରୁ ଓହରିଛି ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ। ଉକ୍ତ ଦିନ ରାଧାକୃଷ୍ଣ ସତ୍ସଙ୍ଗ ଆୟୋଜନ କରିବା ଲାଗି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ସୂଚନାରୁ ପ୍ରକାଶ, ଡିସେମ୍ୱର ୨୯ ତାରିଖରେ ରଥଯାତ୍ରା କରିବାକୁ ସ୍ଥିର ହୋଇଥିଲା। ସେଥିପାଇଁ ସୋଶାଲ ମିଡିଆରେ ପ୍ରଚାର ପ୍ରସାର କରାଯାଉଥିଲା। ଯାହାକୁ ଜଗନ୍ନାଥ ପ୍ରେମୀ ବିରୋଧ କରିବାରୁ ରଥଯାତ୍ରାରୁ ଓହରିଛି ଆୟୋଜକ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ। ଏଭଳି ବିଜ୍ଞାପନ ଲାଗି କଲେ କ୍ଷମା ପ୍ରାର୍ଥନା କରୁଛି। ସୋଶାଲ ମିଡ଼ିଆରୁ ପ୍ରଚାରକୁ ହଟା ଯାଇଛି। ନିର୍ଦ୍ଧାରିତ ଦିନରେ ରଥଯାତ୍ରା ନୁହେଁ, ରାଧାକୃଷ୍ଣଙ୍କର ସତସଙ୍ଗ ଶୋଭାଯାତ୍ରା ହେବ। ଏଭଳି ତୃଟି ପାଇଁ ଓଡ଼ିଶା ବାସୀ କ୍ଷମା ଦିଅନ୍ତୁ। ଏନେଇ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ୍ରେ ସୂଚନା ଦିଆଯାଇଛି ବୋଲି ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ ସ୍ପଷ୍ଟ କରିଛନ୍ତି।


