ହେଲଦି ଲାଇଫ’ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ଅନ୍ୟତମ ଯୋଗ ମହାବିଦ୍ୟାଳୟ ‘ହେଲଦି ଲାଇଫ’ପକ୍ଷରୁ ବିଶ୍ୱ ଯୋଗ ଦିବସ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ‘ରେବତୀ’ ପତ୍ରିକାର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା ଏହାକୁ ଉଦ୍ଘାଟନ କରିବା ସହ ଯୋଗ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନିରୋଗ ଶରୀର ଗଠନ, ସଂଯମତା ତଥା ମାନସିକ ଭାରସାମ୍ୟ ରକ୍ଷାରେ ଯୋଗର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମିକାନ୍ତ ଜଟାନିଆ, ଶ୍ରୀଜଗନ୍ନାଥ ଗ୍ରୁପ ଅଫ କଲେଜର ଚେୟାରମ୍ୟାନ ଗଙ୍ଗାଧର ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶରୀର ପାଇଁ ଯୋଗ-ପ୍ରାଣାୟମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ହେଲଦି ଲାଇଫ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡାକ୍ତର ଚତ୍ତରଂଜନ ସାହୁ ଅନୁଷ୍ଠାନର କାର୍ଯ୍ୟଧାରା, ଯୋଗ ତଥା ପ୍ରାକୃତିକ ଚିକିତ୍ସା ଶିକ୍ଷା ପ୍ରଦାନର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ । ଅନୁଷ୍ଠାନର ପରିଚାଳନା କମିଟିି ସଦସ୍ୟ ମାନସ କୁମାର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ହେଲଦି ଲାଇଫ୍ ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ପରିଚାଳନା କରିଥିଲେ । ଶେଷରେ ଡାକ୍ତର ସୁଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଆୟୋଜିତ ଯୋଗ ଶିବିରରେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଶିକ୍ଷାର୍ଥୀ ଯୋଗ ଦେଇଥିଲେ ।


