୧୦ ଜଣ ଶିକାରୀକୁ ଗିରଫ କଲା ମୟୂରଭଂଜ ପୋଲିସ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଶିମିଳିପାଳ ଫରେଷ୍ଟର ମାଥି ହାଁସଦା ହତ୍ୟା ଘଟଣା । ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୂରଭଂଜ ପୋଲିସ । ସର୍ଚ୍ଚ ଅପରେସନ ପରେ ୧୦ଜଣଙ୍କୁ ଗିରଫ କରିଛି ପୋଲିସ । ଯାଂଚ ବେଳେ ଜଣାପଡିଛି ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି କରିଥିଲେ ଶିକାରୀ । ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁତୀର, ବାଉଁଶ ଲାଠି ଓ କୁରାଢି, ଲୁହା ରଡ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ବନ୍ୟପ୍ରାଣି ସଂରକ୍ଷଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ମୟୂରଭଂଜ ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି । ରାତି ଅଧରେ ଶିକାରୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ ବନବିଭାଗ କର୍ମଚାରୀ । ଅନ୍ଧାର ରାତିରେ ଶିକାରୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କିନ୍ତୁ ସେମାନେ ନିର୍ଦ୍ଦେଶ ନମାନିି ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଗୁଳି ମାଡରେ ଫରେଷ୍ଟର ମାଥି ହାଁସଦା ଟଳି ପଡିଥିଲେ ।


