୧୨ ବର୍ଷ ପରେ ରାଣୀ ଓ ସୈଫ୍ଙ୍କ ରୋମାନ୍ସ
ଅନେକ ଦିନ ହେଲାଣି ଫିଲ୍ମ “ବଣ୍ଟି ଔର୍ ବବ୍ଲି’ର ସିକ୍ୱେଲ୍ ତିଆରି ହେବା ନେଇ ଚର୍ଚ୍ଚା ହେଉଛି । ଏହି ଫିଲ୍ମର ଲିଡ୍ ରୋଲରେ ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନ ନଜର ଆସିଥିଲେ । ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ରାଣୀ ଓ ଅଭିଷେକଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ ଏବେ ଏହାର ନୂଆ ସଂସ୍କରଣରେ ଷ୍ଟାରକାଷ୍ଟରେ କିଛିଟା ପରିବର୍ତ୍ତନ ହୋଇଯାଇଛି । ସୂଚନା ଅନୁୟାୟୀ, ଫିଲ୍ମରେ ଆଉ ପୁରୁଣା ଯୋଡ଼ି ଦେଖିବାକୁ ମିଳିବ ନାହିଁ । କାରଣ ଲିଡ୍ ହିରୋଇନ୍ ଭୂମିକାରେ ରାଣୀ ମୁଖାର୍ଜୀ ତ ଅଭିନୟ କରିବେ । କିନ୍ତୁ ଏହାର ଲିଡ୍ ହିରୋ ଭୂମିକାରେ ଅଭିଷେକ ନଜର ଆସିବେ ନାହିଁ । ପୂର୍ବରୁ ଖବର ଆସିଥିଲା ଯେ ଫିଲ୍ମ ପାଇଁ ନିର୍ମାତା ଅଭିଷେକଙ୍କୁ ଆପ୍ରୋଚ୍ କରିଥିଲେ । କିନ୍ତୁ ତାଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସି ନଥିବାରୁ ସେ ଏହାକୁ କରିବାକୁ ମନା କରିଦେଇଥିଲେ । ଏହାପରେ ସୈଫ୍ ଅଲ୍ଲୀ ଖାନ୍ଙ୍କ ନାଁ ମଧ୍ୟ ଆସିଥିଲା । ତାଙ୍କୁ ଫିଲ୍ମର କାହାଣୀ ବି ପସନ୍ଦ ଆସିଥିଲା । କିନ୍ତୁ ସେ ପରେ ଏଥିପାଇଁ ମନା କରିଦେଇଥିଲେ । କାରଣ ସେ ଫିଲ୍ମରେ ସେକେଣ୍ଡ ଲିଡ୍ କରିବାକୁ ଚାହୁଁନଥିଲେ । ତେବେ ବର୍ତ୍ତମାନ ଖବର ଆସିଛି ଯେ ସୈଫ୍ ଫିଲ୍ମ କରିବାକୁ ରାଜି ହୋଇଯାଇଛନ୍ତି । କିନ୍ତୁ ସେକେଣ୍ଡ ଲିଡ୍ ପାଇଁ ନୁହେଁ, ସେ ଫିଲ୍ମରେ ଅଭିଷେକଙ୍କ ସ୍ଥାନରେ ନଜର ଆସିବେ । ଫିଲ୍ମରେ ଏବେ ରାଣୀ ମୁଖାର୍ଜୀ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ଯୋଡ଼ି ଦେଖିବାକୁ ପାଇବେ ଦର୍ଶକ । ପାଖାପାଖି ୧୨ ବର୍ଷ ପରେ ସୈଫ୍ ଓ ରାନୀଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ଶେଷଥର ପାଇଁ ଏମାନଙ୍କୁ ୨୦୦୮ରେ ଫିଲ୍ମ “ଥୋଡ଼ା ପ୍ୟାର୍ ଥୋଡ଼ା ମ୍ୟାଜିକ୍’ରେ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ଏମାନେ ଏକାଠି “ହମ୍ ତୁମ୍’, “ତାରା ରମ୍ ପମ୍’, “ପରି ଫିଲ୍ମରେ ନଜର ଆସିଥିଲେ । ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରୁ “ବଣ୍ଟି ଔର୍ ବବ୍ଲି ୨’ର ଶୁଟିଂ ଆରମ୍ଭ ହେବ । ଫିଲ୍ମର ଅଧିକାଂଶ ଶୁଟିଂ ବନାରସ୍ ଓ ବୁଲନ୍ଦସହରରେ ହେବ । ଏମାନଙ୍କ ବ୍ୟତୀତ ଫିଲ୍ମରେ “ଗଲି ବୟ’ ଫେମ୍ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ନଜର ଆସିବେ ଓ ତାଙ୍କ ସହ ଶାରବରି ସିଂହ ନଜର ଆସିବେ । ୟଶରାଜ୍ ବ୍ୟାନର୍ ଓ ନିର୍ମାତାଙ୍କ ଅନୁଯାୟୀ ସେମାନେ ଫିଲ୍ମରେ ପୁରୁଣା ଚେହେରା ସହ କିଛି ନୂଆ ଚେହେରାକୁ ମଧ୍ୟ ଯୋଡ଼ିବାକୁ ଚାହୁଁଛନ୍ତି । ଶାରବରିଙ୍କର ଏହା ଡେବ୍ୟୁ ଫିଲ୍ମ ହେବ । ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେବେ ବରୁଣ ଶର୍ମା । ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ ।


