୧୯ ବର୍ଷ ଧରି ଝାଡୁ ଓ ଝୁଡିରେ ନିଆରା ସେବା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପବିତ୍ର ମହାଶିବରାତ୍ରି ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୧୯ବର୍ଷ ଧରି ଝାଡୁ ଓ ଝୁଡିର ଏ ନିଆରା ନିରନ୍ତର, ନିରବଚ୍ଛିନ୍ନ ସେବା ଏପର୍ଯ୍ୟନ୍ତ ଜାରି ରହିଛି । ମହାଶିବରାତ୍ରିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, କୁଡ଼ୁଆ, ପଲିଥିନ୍ ଆଦିକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର କରିଥିଲେ । ଏତଦ୍ସହ ମନ୍ଦିରର ଗର୍ଭଗୃହ ଓ ମନ୍ଦିର ପରିସରରେ ଜମା ହୋଇ ରହିଥିବା କୁଢ କୁଢ ବର୍ଜ୍ୟଗୁଡ଼ିକୁ ସଫା କରି ବାହାରେ ନେଇ ପକାଇଥିଲେ । ସୂଚନାଯୋଗ୍ୟ ୨୦୦୩-୨୦୨୧ ମସିହା ଦୀର୍ଘ ୧୯ବର୍ଷ ଧରି ପରିବେଶ, ପରିମଳ ଏବଂ ଜାତୀୟ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ଜନସାଧାରଣଙ୍କୁ ଉଦ୍ରେକ କରିବା ପାଇଁ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏହି ଶ୍ରମଦାନ ଶିବିର ଆୟୋଜନ କରି ଆସୁଛନ୍ତି । ଚଳିତବର୍ଷ ସାମାଜିକ ସଂଗଠନ ମିସିଂ ଫାଉଣ୍ଡେସନ, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ.ଏସ୍.ଏସ୍. ଛାତ୍ରଛାତ୍ରୀ, ସୁରେନ୍ଦ୍ରନାଥ ଜେନା ଟ୍ରଷ୍ଟ, ଶ୍ରୀ ସତ୍ୟସାଇ ସେବା ସମିତି ଭୁବନେଶ୍ୱର, ଆଇଟି କମ୍ପାନୀ ବି.ଆଇ ପ୍ରୋଫେସନାଲର କର୍ମଚାରୀ ଓ ସାମାଜିକ କର୍ମୀମାନେ ସାମିଲ୍ ହୋଇଥିଲେ । ଶିବିରକୁ ସାମାଜିକ କର୍ମୀ ରଞ୍ଜନ କୁମାର ଦାସ, ସେଞ୍ଚୁରିୟାନ ବ୍ଲଡ଼ ଡ଼ୋନର ଗୋପୀମୋହନ ପଟ୍ଟନାୟକ, ଅଧ୍ୟାପକ ବିଶ୍ୱକାନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ପ୍ରଧାନ, ଶୁଭ୍ରାଂଶୁ ମହାନ୍ତି, ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା, ଲକ୍ଷ୍ମୀଧର ସ୍ୱାଇଁ, କୁଳମଣି ମଲ୍ଲିକ, ଧଉଳି ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀମାନଙ୍କର ଏତାଦୃଶ କାର୍ଯ୍ୟ ଓ ନିରନ୍ତର ସେବାକୁ ଜନସାଧାରଣ ବେଶ୍ ପ୍ରଶଂସା କରିଥିଲେ ।


