୨କୋଟି ଏନ୯୫ ମାସ୍କ ଓ ୧ କୋଟି ପିପିଇ କିଟ ରାଜ୍ୟମାନଙ୍କୁ ଦିଆଯାଇଛି
ନୂଆଦିଲ୍ଲୀ : ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ କେନ୍ଦ୍ର ସରକାର କୋଭିଡ-୧୯କୁ ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ନିରନ୍ତର ଭାବେ କାର୍ୟ୍ୟ କରିଆସୁଛନ୍ତି । ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିଛି । କୋଭିଡ-୧୯ ସୁବିଧା ବୃଦ୍ଧି ସହିତ, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଉଦ୍ୟମକୁ ପ୍ରୋତ୍ସାହନ ଦେବାଲାଗି କେନ୍ଦ୍ର ସରକାର ମାଗଣାରେ ଚିକିତ୍ସା ଯୋଗାଣ ଉପଲବ୍ଧ କରାଉଛି । ଭାରତ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ଅଧିକାଂଶ ଉତ୍ପାଦ ଦେଶରେ ଉତ୍ପାଦିତ ହେଉ ନଥିଲା ଏବଂ ମହାମାରୀ କାରଣରୁ ବିଶ୍ଵରେ ଏଗୁଡ଼ିକର ଚାହିଦା ଅଧିକ ରହିଥିଲା ଯାହା ଫଳରେ ବିଦେଶୀ ବଜାରରେ ଉପଲବ୍ଧତାରେ ଅଭାବ ଦେଖାଦେଇଥିଲା । ତଥାପି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୟନ ଏବଂ ଫାର୍ମାସ୍ୟୁଟିକାଲ୍ସ ମନ୍ତ୍ରଣାଳୟ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏବଂ ଅନ୍ୟାନ୍ୟଙ୍କ ମିଳିତ ପ୍ରୟାସରେ ଏହି ଅବଧି ମଧ୍ୟରେ ଘରୋଇ ଶିଳ୍ପକୁ ପିପିଇ, ଏନ୯୫ ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଉତ୍ପାଦନ ଏବଂ ଯୋଗାଣ ପାଇଁ ଉତ୍ସାହିତ କରାଯାଇଛି । ଫଳରେ, ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ ଇନ ଇଣ୍ଡିଆ’ ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆ ଯାଇଥିବା ଅଧିକାଂଶ ସାମଗ୍ରୀ ଘରୋଇ ଉତ୍ପାଦିତ । ଏପ୍ରିଲ ୧, ୨୦୨୦ ଠାରୁ, କେନ୍ଦ୍ର ୨.୦୨ କୋଟିରୁ ଅଧିକ ଏନ୯୫ ମାସ୍କ ଏବଂ ୧.୧୮ କୋଟିରୁ ଅଧିକ ପିପିଇ କିଟ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ଅନୁଷ୍ଠାନକୁ ମାଗଣାରେ ଯୋଗାଇ ଦେଇଛି । ଆହୁରି ମଧ୍ୟ, ସେମାନଙ୍କୁ ୬.୧୨ କୋଟିରୁ ଅଧିକ ଐଉଛ ବଟିକା ବଣ୍ଟନ କରାଯାଇଛି । ଏହାସହିତ, ଏପର୍ୟ୍ୟନ୍ତ ୧୧,୩୦୦ ‘ମେକ ଇନ ଇଣ୍ଡିଆ’ ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ଅନୁଷ୍ଠାନକୁ ପଠାଯାଇଛି, ସେଥିମଧ୍ୟରୁ ୬୧୫୪ ଭେଣ୍ଟିଲେଟର ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି । ଭାରତ ସରକାର ମଧ୍ୟ ସେମାନଙ୍କର ସ୍ଥାପନ, ସମ୍ପାଦନକୁ ସୁନିଶ୍ଚିତ କରାଇଛନ୍ତି । ଏହା କୋଭିଡ ଆଇସିୟୁରେ ଭେଣ୍ଟିଲେଟର ଉପଲବ୍ଧତାର ବ୍ୟାପକ ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ୧.୦୨ ଲକ୍ଷ ଅମ୍ଳଜାନ ସିଲିଣ୍ଡର ଯୋଗାଇଛନ୍ତି, ଯାହାମଧ୍ୟରୁ ୭୨,୨୯୩ଟି ଅମ୍ଳଜାନ ଶଯ୍ୟାକୁ ସୁଦୃଢ କରିବା ଲାଗି ଯୋଗାଇ ଦିଆଯାଇଛି । ଆଜିପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଦିଲ୍ଲୀକୁ ୭.୮୧ ଲକ୍ଷ ପିପିଇ କିଟ ଓ ୧୨.୭୬ ଲକ୍ଷ ଏନ୯୫ ମାସ୍କ, ମହାରାଷ୍ଟ୍ରକୁ ୧୧.୭୮ ଲକ୍ଷ ପିପିଇ କିଟ ଓ ୨୦.୬୪ ଲକ୍ଷ ଏନ୯୫ ମାସ୍କ ଏବଂ ତାମିଲନାଡୁକୁ ୫.୩୯ ଲକ୍ଷ ପିପିଇ କିଟ ଓ ୯.୮୧ ଲକ୍ଷ ଏନ୯୫ ମାସ୍କ ଯୋଗାଇ ଦିଆଯାଇଛି ।


