୨୦ଲକ୍ଷ ଟିକସଦାତାଙ୍କୁ ୬୨,୩୬୧ କୋଟି ଟଙ୍କା ଫେରସ୍ତ
ନୂଆଦିଲ୍ଲୀ : ସରକାରଙ୍କ ଏପ୍ରିଲ ୮, ୨୦୨୦ ତାରିଖର ପ୍ରେସ ନୋଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଟିକସଦାତାମାନଙ୍କୁ ସେମାନଙ୍କର ଉଦ୍ବୃତ୍ତ ଆୟକର ଫେରସ୍ତ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ଼-୧୯ ଭଳି ଭୂତାଣୁ ମହାମାରୀ ବେଳେ ଏଭଳି ଅର୍ଥ ଫେରସ୍ତ ଟିକସଦାତାମାନଙ୍କ ପାଇଁ ବେଶ ସହାୟକ ହୋଇଛି । ଏହି ସମୟରେ ଆୟକର ବିଭାଗ ପକ୍ଷରୁ ଏପ୍ରିଲ ୮ ତାରିଖ ଠାରୁ ଜୁନ ୩୦, ୨୦୨୦ ମଧ୍ୟରେ ପ୍ରତି ମିନିଟରେ ୭୬ଟି ଲେଖାଏଁ ଟିକସ ଫେରସ୍ତ କାର୍ଯ୍ୟ ସଂପାଦନ କରାଯାଇଛି । ଏହି ଅବଧି ମାତ୍ର ୫୬ଦିନର ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼, ସିବିଡ଼ିଟି ପକ୍ଷରୁ ୨୦.୪୪ଲକ୍ଷ କେଶ୍ ସମାଧାନ କରାଯାଇ ଟିକସଦାତାମାନଙ୍କୁ ମୋଟ ୬୨,୩୬୧କୋଟି ଟଙ୍କା ଫେରସ୍ତ ଦିଆଯାଇଛି । ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଟିକସଦାତାମାନେ ଆୟକର ବିଭାଗ ପକ୍ଷରୁ ଏଭଳି ସୁବିଧା ହାସଲ କେବଳ ଏବେ କରଦାତା ଅନୁକୂଳ ବ୍ୟବସ୍ଥା ଆପଣାଇବା ଦ୍ୱାରା ନୁହେଁ ଅପରନ୍ତୁ କୋଭିଡ଼ ଭଳି ଅସ୍ୱାଭାବିକ ପରିସ୍ଥିତି ସମୟରେ ବିଭାଗ ପକ୍ଷରୁ ସେହିସବୁ ମାମଲାଗୁଡ଼ିକର ସମାଧାନ ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେସୁଦ୍ଧା ୧୯,୦୭,୮୩୨ଟି କେଶ୍ର ବିଚାର କରାଯାଇ ମୋଟ ୨୩,୪୩୫.୫୭ କୋଟି ଟଙ୍କାର ଆୟକର ଫେରସ୍ତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି କର୍ପୋରେଟ ଟିକସ କ୍ଷେତ୍ରରେ ୧,୩୬,୭୪୪ଟି ମାମଲାର ସମାଧାନ କରାଯାଇ ୩୮,୯୦୮.୩୭ କୋଟି ଟଙ୍କା ଫେରସ୍ତ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏତେ ମାତ୍ରାର ଏବଂ ସଂଖ୍ୟକ ଟିକସ ଫେରସ୍ତ କାର୍ଯ୍ୟ ଇଲେକ୍ଟ୍ରୋନିକାଲ ପ୍ରଯୁକ୍ତି ବ୍ୟବସ୍ଥା ଯୋଗୁ ସମ୍ଭବପର ହୋଇପାରିଛି ଯଦ୍ୱାରା ଆୟକର ଦାତା ଏବଂ କର୍ପୋରେଟ୍ ଟିକସଦାତାମାନଙ୍କ ବ୍ୟାଙ୍କ ଜମାଖାତାରେ ଫେରସ୍ତ ଅର୍ଥ ସିଧାସଳଖ ପୈଠ ହୋଇପାରୁଛି । ଏଥିପାଇଁ କୌଣସି ଜଣେ ଟିକସଦାତାଙ୍କୁ ସୁଦ୍ଧା ବିଭାଗକୁ ଅର୍ଥ ଫେରସ୍ତ ସକାଶେ ଅନୁରୋଧ କରିବାକୁ ପଡ଼ୁନାହିଁ । ସିଧାସଳଖ ତାହା ସେମାନଙ୍କ ଜମାଖାତାରେ ପହଞ୍ଚିପାରୁଛି । ସିବିଡ଼ିଟି ପକ୍ଷରୁ ଗୁରୁତ୍ୱ ଆରୋପ କରି କୁହାଯାଇଛି ଯେ ଟିକସଦାତାମାନଙ୍କୁ ସକଳ ପ୍ରକାର ସୂଚନା ଇମେଲ୍ ମାଧ୍ୟମରେ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ଯଦ୍ୱାରା ସେମାନଙ୍କର ରିଫଣ୍ଡ୍ ମାମଲା ତୁରନ୍ତ ଫଇସଲା ହୋଇପାରିବ । ଆୟକର ବିଭାଗର ଏଭଳି ଇମେଲ୍ର ଉତ୍ତର ଟିକସଦାତାମାନେ ଦେବାକୁ ବିଭାଗ ପ୍ରତ୍ୟାଶା ରଖେ । ଯଦ୍ୱାରା ସେମାନେ ତାହା ପାଇଛନ୍ତି ବୋଲି ବିଭାଗ ସୁନିଶ୍ଚିତ ହୋଇପାରିବ । କରଦାତାମାନଙ୍କୁ ଫେରସ୍ତ ହେବାକୁ ଥିବା ଅର୍ଥ ଏବଂ ସେମାନଙ୍କର ବ୍ୟାଙ୍କ ଜମାଖାତା ନମ୍ବର ଏବଂ ଯେଉଁସବୁ ତ୍ରୁଟି/ ସୂଚନା ମିଶୁନଥିବା ତଥ୍ୟ ଥିବ ତାହା ରିଫଣ୍ଡ୍ ପୂର୍ବରୁ ବିଭାଗକୁ ଜଣାଇ ଦେବା ଉଚିତ । ସେଭଳି ସମସ୍ତ ମାମଲାରେ, ଟିକସଦାତାମାନଙ୍କ ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ମିଳିଲେ ଆୟକର ବିଭାଗ ଟଙ୍କା ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।


