୨ୟ ଦିନରେ ନାଉଗାଁ ବ୍ଳକରେ ଜଣେ କରୋନା ସଂକ୍ରମିତ ଚିହ୍ନଟ,ପ୍ରଶାସନ ପକ୍ଷରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସିଲ
ନାଉଗାଁ (ଓ୍ବାଇଏନ୍ଏସ୍) : କଂଟୁଣିଆ ହାଟ ଉଚ୍ଚ ବିଦ୍ୟାଳୟରେ ସଂଗରୋଧରେ ଥିବା ଲୋକଙ୍କ ମଧ୍ୟରୁ ୪ଜଣ ଙ୍କର ବୁଧବାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଗୁରବାର ଡେରିକି ପଂଚାୟତରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ୨ୟ ଦିନକୁ ମିଶାଇ ଉକ୍ତ ବ୍ଳକରେ ସମୁଦାୟ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଡେରିକି ପଂଚାୟତରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ସେ କଲିକତାର ବଡବଜାରରେ ରହୁଥିଲେ । ୫ ତାରିଖରେ ସ୍ଥାନୀୟ ଅଂଚଳର ୧୧ଜଣ ୩ଟି ଗାଡି ରିଜର୍ଭ କରି ନାଉଗାଁ ବ୍ଲକ ଡେରିକି ପଂଚାୟତର ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ ନିକଟରେ ପହଁଚିଥିଲେ । ଏଥିମଧ୍ୟରୁ ଜଣେ ତିରୁଣା ପଂଚାୟତକୁ ଯାଇଥିବା ବେଳେ ଆଉ ଜଣେ ଓଷକଣା ପଂଚାୟତକୁ ଯାଇଥିଲେ । ଏଥିମଧ୍ୟରୁ ୯ ଜଣ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିଲେ । ୯ ଜଣଙ୍କ ମଧ୍ୟରେ ୭ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଓ ଜଣେ ଶିଶୁ କନ୍ୟା ହୋଇଥିବା ଜଣାଯାଇଛି । ସେହିପରି ସଂକ୍ରମିତଙ୍କ ସହିତ ଗୋଟିଏ କୋଠରୀରେ ୯ ଜଣ ରହୁଥିବା ଜଣାଯାଇଛି । ସର୍ବ ମୋଟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୦ଜଣ ରହୁଥିବା ବେଳେ ୯ ଜଣ କଲିକତା ଓ ଜଣେ ଗୁଜୁରାଟରୁ ଆସିଥିବା ଜଣାଯାଇଛି । ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ସମୟରେ ସଂପର୍କୀୟଙ୍କ ସହିତ ସାକ୍ଷାତ ହୋଇଛି କି ନାହିଁ, ଉକ୍ତ କେନ୍ଦ୍ରକୁ ତାଙ୍କୁ ଦେଖା କରିବା ପାଇଁ କେଉଁମାନେ ଆସିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମଙ୍ଗଳବାର ପ୍ରଶାସନ ପକ୍ଷରୁ ଗୋଟିଏ ଗାଡିରେ ୯ ଜଣଙ୍କ ସ୍ୱାବ ପରିକ୍ଷା ପାଇଁ ନିଆଯାଇଥିଲା । ଏଥିମଧ୍ୟରୁ ୮ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଣଙ୍କର ପଜିଟିବ ଜଣାପଡିଛି । ସେହିପରି ଗୁଜୁରାଟରୁ ଫେରିଥିବା ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା ଏପର୍ଯ୍ୟନ୍ତ କରାଯାଇନାହିଁ । ମହାବିଦ୍ୟାଳୟର ମୁଖ୍ୟ ଫାଟକକୁ ସିଲ କରାଯାଇଥିବା ବେଳେ ସଂକ୍ରମିତଙ୍କୁ ଭୁବନେଶ୍ୱର କିମ୍ସି କୋଭିଡି ହସ୍ପିଟାଲକୁ ନିଆଯାଇଥିବା ଜଣାଯାଇଛି ।


