୪୬ କେଜି ଗଞ୍ଜେଇ ଜବତ : ୪ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇ ୪୬ କିଲୋଗ୍ରାମ ଗଞ୍ଜେଇ ଜବତ ଏବଂ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜିଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶାନୁସାରେ ଭ୍ରାମ୍ୟମାଣ ଦଳ ପକ୍ଷରୁ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବାମପଦା ଠାରେ ଗଞ୍ଜେଇ ନେଇ ଯାଉଥିବା ଦୁଇ ଯୁବକଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୨୦.୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ଜଲାଙ୍ଗୀ ଥାନା ଅନ୍ତର୍ଗତ ଦୁର୍ଲଭପଡ଼ା ଗ୍ରାମର ମୁସ୍ତାକିନ ମଣ୍ଡଳ (୨୪) ଓ ଚାଉପଡା ଗ୍ରାମର ବିଜୟ ଚୌଧୁରୀ (୨୭) । ସେହିପରି ସଦର ଅବକାରୀ ବିଭାଗ ପକ୍ଷରୁ ରେମୁଣା ଗୋଲେଇ ଠାରେ ଚଢ଼ଉ ସହ ୨୧ କିଲୋ ଗଞ୍ଜେଇ ଜବତ ସାଙ୍ଗକୁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦୁର୍ଲଭପଡ଼ାର ସଖୀବୁଲ ଇସଲାମ (୩୨)କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢଉରେ ୫ କିଲୋ ଗଞ୍ଜେଇ ଜବତ ସହ ନାଉଗାଁ ଅଂଚଳର ସୌଭାଗ୍ୟ ରଞ୍ଜନ ପାଢୀ (୨୦)କୁ ଗିରଫ କରାଯାଇଛି । ସମସ୍ତ ଚଢଉରେ ଚୋରା ଚାଲାଣ ହେଉଥିବା ମୋଟ ୪୬.୫ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ୩ ଗୋଟି ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ସଦର, ମୋବାଇଲ ଓ ନୀଳଗିରିର ଅବକାରୀ ଥାନା ଅଧିକାରୀଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ ।


